ଝିଅଙ୍କ ପାଇଁ ଶିକ୍ଷା, ଶାଶୁ ଘର ନୁହେଁ ନିଜ ଘର

(ରିପୋର୍ଟସ ଟୁଡ଼େ): ଝିଅର ସୁରକ୍ଷା ଏବଂ ତା’ର ଭବିଷ୍ୟତ ପାଇଁ ଜନ୍ମଦାତ୍ରୀ ମା’ ସବୁପ୍ରକାର ଚେଷ୍ଟା କରିଥାଏ। ଯେତେବେଳେ ଝିଅର ବାହାଘର ହୋଇଯାଉଛି ତାକୁ ଆଉ ଏକ ଘରର ଦାୟିତ୍ୱ ତୁଲାଇବାକୁ ପଡିଥାଏ। ତେଣୁ ଏହି ସମୟରେ ମାପିଚୁପି ଚାଲିବାକୁ ପଡେ। ଟିକେ ଟିକେ ଅସାବଧାନତା ଏପରି ସମସ୍ୟା ସୃଷ୍ଟି କରେ, ଯାହା ପରବର୍ତ୍ତୀ ସମୟରେ ତାକୁ ଅଡୁଆରେ ପକାଇବାର ସମ୍ଭାବନା ରହିଛି। ତେଣୁ ଏହି ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ। ବିବାହ ପୂର୍ବରୁ ଯଦି ମା’ ତାକୁ ଏ ନେଇ କିଛି ଟିପ୍ସ ଦେଇଥାଆନ୍ତି କିମ୍ବା ସେ ନିଜର ଉପସ୍ଥିତ ବୁଦ୍ଧିକୁ ଠିକ୍‌ ଭାବରେ ଉପଯୋଗ କରେ, ତେବେ ତାହାର ବ୍ୟକ୍ତିତ୍ୱ ଆହୁରି ପ୍ରଶଂସିତ ହୋଇଥାଏ।
ଝିଅକୁ ଦିଅନ୍ତୁ ନିଜକୁ ଗଢ଼ି ତୋଳିବାର ସ୍ବାଧୀନତା
ଝିଅଟି ଯେତେବେଳେ ବାପଘରୁ ଶାଶୁ ଘରକୁ ଯାଉଛି, ତାକୁ ପ୍ରତ୍ୟେକ କ୍ଷେତ୍ରରେ ନଜର ରଖିଲେ ସେ ନିଜ ବୁଦ୍ଧି ଖଟାଇବାକୁ ସମୟ ପାଇ ନ ଥାଏ। ହେଲେ ସେହି ବୁଦ୍ଧିକୁ ଭଲ ବାଟରେ ଉପଯୋଗ କରିବା ଦରକାର। ତେଣୁ ଝିଅଟି ନିଜ ଜୀବନକୁ କିପରି ନିଜେ ଗଢ଼ୁଛି ତାହା ଭଲ ଭାବରେ ଲକ୍ଷ୍ୟ କରନ୍ତୁ। ଯଦି ସେଥିରେ କିଛି ଦୋଷତ୍ରୁଟି ପରିଲକ୍ଷିତ ହେଉଛି ତେବେ ତାହାକୁ ତୁରନ୍ତ ସମାଧାନ କରନ୍ତୁ। ନିଜ ସମସ୍ୟାକୁ ଯଦି ସେ ଭଲ ଭାବରେ ସମାଧାନ କରିପାରୁଛି, ତେବେ ନିଜ ନୂଆ ଜୀବନକୁ ଆଗେଇ ନେବାରେ ସେ ଅସୁବିଧାର ସମ୍ମୁଖୀନ ହୋଇ ନ ଥାଏ। ପ୍ରତିଟି କଥାରେ ଯଦି ମା’ ଝିଅକୁ ଉପଦେଶ ଦେବା ଆରମ୍ଭ କରନ୍ତି ତେବେ ଝିଅ ନିଜ ବୁଦ୍ଧି ଖଟାଇବାକୁ ସମୟ ପାଇ ନ ଥାଏ। ତାକୁ ଯେମିତି ଏକ ପଞ୍ଜୁରି ଭିତରେ ଆବଦ୍ଧ ହୋଇ ରହିବା ପରି ଲାଗିଥାଏ। ତେଣୁ ତାକୁ ଗାଇଡ୍‌ କରନ୍ତୁ-ଏଥିରେ ଦ୍ୱିମତ ନାହିଁ। ହେଲେ ସବୁ କଥାରେ ମୁଣ୍ଡ ଖେଳାଇଲେ ତାହା ତାଙ୍କର ବ୍ୟକ୍ତିଗତ ଜୀବନକୁ ଅନେକାଂଶରେ ପ୍ରଭାବିତ କରିଥାଏ।
ଶାଶୁଘର ନୁହେଁ ନିଜ ଘର
ଯେତେବେଳେ ଝିଅଟିଏ ବାହାହୋଇ ଶାଶୁଘରକୁ ଆସେ ସେତେବେଳେ ସେ ଘରକୁ ନିଜର ବୋଲି ଭାବିବା ଦରକାର। ନୂଆ ଘର, ନୂଆ ଲୋକ, ଆଉ ତା’ ଭିତରେ ତାକୁ ଆଗେଇବାକୁ ପଡ଼େ। ତେଣୁ ସେହି ଲୋକଙ୍କ ସହ ଭଲ ଭାବରେ ମିଶି କିପରି ଶାଶୁଘରକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିବ, ସେନେଇ ତାକୁ ଭଲ ଉପଦେଶ ଦିଅନ୍ତୁ। ଯଦି ସେ କିଛି ଭଲ କଥା କହୁଛି ତେବେ ତାକୁ ଆହୁରି ଉତ୍ସାହିତ କରନ୍ତୁ। ଶାଶୁଘରକୁ ନେଇ ତାକୁ ଏଭଳି ଉପଦେଶ ଦିଅନ୍ତୁ ନାହିଁ, ଯାହାଦ୍ୱାରା ସମ୍ପର୍କ ପ୍ରଭାବିତ ହେବ ଏବଂ ସେ ସେଠାରେ ଅଣନିଃଶ୍ୱାସୀ ଅନୁଭବ କରିବ।