(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଋଣଗସ୍ତ ବିମାନ ସଂସ୍ଥା ଜେଟ୍ ଏୟାରଓ୍ବେଜ ସ୍ଥିତାବସ୍ଥାକୁ ଫେରିବ। ଏହାର ପୁନର୍ଗଠନ ଯୋଜନା ନେଇ ବର୍ତ୍ତମାନ କାର୍ୟ୍ୟପନ୍ଥା ଗ୍ରହଣ କରାଯାଉଛି। ବ୍ୟାଙ୍କଗୁଡ଼ିକ ସହାୟତାରେ ଏହା ହାତକୁ ନିଆଯାଉଥିବା ଜେଟ ଏୟାରଓ୍ବେଜର ପ୍ରମୋଟର ନରେଶ ଗୋୟଲ ଏବଂ ଏତିହାଦ ଏୟାରଓ୍ବେଜ ସିଇଓ ଟୋନି ଡୋଗ୍ଲାସ ମିଳିତ ଭାବେ ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି। ପ୍ରମୋଟର ଏବଂ ପ୍ରମୁଖ ବିତ୍ତ ଅଂଶୀଦାରଙ୍କ ସହାୟତାରେ ବିମାନ କମ୍ପାନୀକୁ ଏକ ଉନ୍ନତ ସ୍ଥିତିକୁ ଆଣିବା ଦିଗରେ ଉଦ୍ୟମ ଜାରି ରହିଥିବା ବିବୃତ୍ତିରେ କୁହାଯାଇଛି। ଯୋଜନା କାର୍ୟ୍ୟକାରୀ ହେଲେ ଜେଟ୍ ଏୟାରଓ୍ବେଜ ପୁଣି ଥରେ ଉନ୍ନତ ସ୍ଥିତିକୁ ଫେରିବ ବୋଲି ବିବୃତ୍ତି ସ୍ପଷ୍ଟ କରାଯାଇଛି। ଗ୍ରାହକଙ୍କ ପସନ୍ଦ ମୁତାବକ ବିମାନ କମ୍ପାନୀକୁ ଏକ ଉନ୍ନତ ସ୍ଥାନକୁ ଆଣିବାକୁ ଯୋଜନା ରହିଥିବା ସୂଚନା ଦିଆଯାଇଛି।
ଖରାପସ୍ଥିତି ଦେଇ ଗତି କରୁଥିବା ବିମାନ କମ୍ପାନୀ ବର୍ତ୍ତମାନ ପାଣ୍ଠି ସଂଗ୍ରହ ତଥା ଦେବାଳିଆ ସ୍ଥିତିରୁ ଉପରକୁ ଉଠିବାକୁ ପ୍ରୟାସ କରୁଛି। ଋଣକୁ ଇକ୍ୱିଟିରେ ରୂପାନ୍ତରିତ କରିବାକୁ ଅଂଶୀଦାରମାନେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିଭଳି ଅନ୍ୟାନ୍ୟ ପ୍ରସ୍ତାବ ଉପରେ ଅଂଶୀଦାର ନିଜର ସହମତି ପ୍ରକାଶ କରିଛନ୍ତି। ଜେଟ ଏୟାରଓ୍ବେଜ ବିରୋଧରେ ନ୍ୟାଶନାଲ କମ୍ପାନି ଲ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେବା ନେଇ କୌଣସି ପ୍ରସ୍ତାବ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା ଏସ୍ବିଆଇ ସୋମବାର କହିଛି। ଜେଟ୍ ଏୟାରଓ୍ବେଜ ବିରୋଧରେ ଦେବାଳିଆ କୋର୍ଟରେ ଦ୍ୱାରସ୍ଥ ହେବାକୁ ବିଚାର କରାଯାଉଥିବା ଋଣ ପ୍ରଦାନକାରୀ ସଂସ୍ଥା ଏବଂ ପ୍ରମୁଖ ଅଂଶଦାରଙ୍କ ପକ୍ଷରୁ ଜଣେ ଅଧିକାରୀ ରବିବାର କହିଥିଲେ। ଏହାକୁ ନେଇ ଉଭୟ ଜେଟ୍ ଏବଂ ଏତିହାଦ ପକ୍ଷରୁ ବିବୃତ୍ତି ରଖାଯାଇଛି।
ଗତବର୍ଷ ବିମାନ ଶିଳ୍ପ ଅନେକ ସମସ୍ୟା ଦେଇ ଗତି କରିଥିଲା ବୋଲି ଉଭୟ ସଂସ୍ଥା କହିଛନ୍ତି। ବର୍ଦ୍ଧିତ ତୈଳ ଦର, ଟଙ୍କାର ଦୁର୍ବଳତା ଭଳି ସମସ୍ୟା ଶିଳ୍ପକୁ କ୍ଷତି ପହଞ୍ଚାଇଥିଲା। ବିଶ୍ୱର ଅନେକ ସଂସ୍ଥା ଏହାଦ୍ୱାରା ଅନେକ ଅସୁବିଧା ସାମ୍ନା କରିଥିବା ବେଳେ ଜେଟ ଏୟାରଓ୍ବେଜ ମଧ୍ୟ ଏଥିରୁ ବର୍ତ୍ତିପାରିନାହିଁ। ଜେଟ ଏୟାରଓ୍ବେଜରେ ଆବୁଧାବି ଭିତ୍ତିକ ଏତିହାଦର ୨୪% ଅଂଶଧନ ରହିଛି। କୌଣସି ବିମାନ ସଂସ୍ଥାର ଆର୍ଥତ୍କ ସ୍ବାସ୍ଥ୍ୟ ବଜାରର ଅର୍ଥନୈତିକ ସ୍ଥିତି ଉପରେ ନିର୍ଭର କରାଯାଇଥାଏ ବୋଲି ପ୍ରମୋଟରଙ୍କ ପକ୍ଷରୁ କୁହାଯାଇଛି।