ଚ୍ୟାନେଲ ଟାରିଫ ଚୟନର ସମୟସୀମା ବୃଦ୍ଧି

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ) ନୂଆ ଟିଭି ଚ୍ୟାନେଲ ଟାରିଫ ଚୟନର ସମୟସୀମାକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ଫେବୃୟାରୀ ପହିଲା ଧାର୍ୟ୍ୟ କରାଯାଇଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ପ୍ରାୟ ୧୦୦ ମିଲିୟନ କେବୁଲ ଟିଭି ସେବା ସଂଯୋଗ ଦିଆଯାଇଥିବା ବେଳେ ୬୭ ମିଲିୟନ ଡାଇରେକ୍ଟ ଟୁ ହୋମ୍ ଗ୍ରାହକ ରହିଛନ୍ତି। ଟ୍ରାଇର ତଥ୍ୟ ଅନୁଯାୟୀ ଅଦ୍ୟାବଧି ୯ କୋଟି ଗ୍ରାହକ ନୂଆ ଟାରିଫ ବ୍ୟବସ୍ଥା ଆପଣାଇସାରିଲେଣି। ଅଦ୍ୟାବଧି ଟାରିଫ ଚୟନ କରି ନ ଥିବା ଗ୍ରାହକଙ୍କୁ ‘ବେଷ୍ଟ ଫିଟ୍ ପ୍ଲାନ’ରେ ସାମିଲ କରିବା ଲାଗି ସେବା ଯୋଗାଣକାରୀମାନେ ପଦକ୍ଷେପ ନେବାକୁ ଟ୍ରାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନିଜର ପ୍ଲାନ ପସନ୍ଦ କରିବା ପର୍ୟ୍ୟନ୍ତ ପୁରୁଣା ପ୍ଲାନ ଜାରି ରହିବ ବୋଲି ଟ୍ରାଇ ସ୍ପଷ୍ଟ କରିଛି।