(ରିପୋର୍ଟରସ ଟୁଡେ/ମୁମ୍ବାଇ): ସୁଲଭ ଦରରେ ବିମାନ ସେବା ଯୋଗାଇ ଦେଉଥିବା ଦେଶର ଅଗ୍ରଣୀ ଘରୋଇ ବିମାନ କଂପାନି ଇଣ୍ଡିଗୋ ସଙ୍କଟରେ ପଡ଼ିଯାଇଛି। ପାଇଲଟ୍ ଅଭାବ ଯୋଗୁ ଏହା ଦୁଇ ଦିନ ହେଲାଣି କିଛି ବିମାନର ଉଡ଼ାଣ ବାତିଲ କରୁଛି। ଗତକାଲି ଏହାର ୩୦ଟି ବିମାନର ଉଡ଼ାଣ ବାତିଲ ହୋଇଥିଲା। ଆଜି ଆଉ ୪୯ଟି ବିମାନର ଉଡ଼ାଣ ବାତିଲ ହୋଇଛି। ଫେବ୍ରୁଆରି ମାସରେ ଏହି ସମସ୍ୟାର ସମାଧାନ ହେବ ନାହିଁ। ଚଳିତ ମାସରେ ପ୍ରତିଦିନ କଂପାନି ୩୦ଟି ବିମାନର ଉଡ଼ାଣ ବାତିଲ କରିବ ବୋଲି କହିଛି। ମାର୍ଚ ଶେଷ ସୁଦ୍ଧା ସବୁ କିଛି ଠିକ୍ ହୋଇଯିବ ବୋଲି କଂପାନି ଭାବୁଛି। ବିଭିନ୍ନ କାରଣ ଯୋଗୁ କଂପାନିର ବିମାନ ଉଡ଼ାଣ ବାତିଲ ହେଉଛି। ପାଇଲଟ୍ ଅଭାବ ଏକ ସମସ୍ୟା ହୋଇଥିବା ବେଳେ ଖରାପ ପାଣିପାଗ ଏବଂ ବିଭିନ୍ନ ବିମାନ ବନ୍ଦରରେ ଚାଲିଥିବା ନୋଟାମସ୍ (ନୋଟିସ୍ ଟୁ ଏୟାରମ୍ୟାନ୍) ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି। ଏଥିପାଇଁ କଂପାନି ପାଖରେ ଯେଉଁ କ୍ରୁ ସଦସ୍ୟମାନେ ରହିଛନ୍ତି ସେମାନଙ୍କ ରୋଷ୍ଟର୍କୁ ବଦଳାଇବାକୁ ପଡ଼ୁଛି। ଯାହାର ପ୍ରଭାବରେ ବିମାନ ବାତିଲ ହେଉଛି। ଏସଂକ୍ରାନ୍ତରେ ଯାତ୍ରୀମାନଙ୍କୁ ଆଗୁଆ ଅବଗତ କରାଯାଉଛି ଏବଂ ସେମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କଂପାନି ପକ୍ଷରୁ କୁହାଯାଇଛି। କେଉଁ କାରଣ ଯୋଗୁ ଇଣ୍ଡିଗୋ ଏତେ ପରିମାଣର ବିମାନ ବାତିଲ କରୁଛି ତାହାର କାରଣ ଖୋଜିବାକୁ ଉଦ୍ୟମ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏରେ କାମ କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।