ଖଣି ପରିସରରେ ସ୍ପଷ୍ଟ ଦିବାଲୋକରେ ମାତିଲେ ଚୋର

(ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣି ପ୍ରକଳ୍ପ ଅଫିସ ପଛ ପାଖରେ ଏକ ହାଇୱା ଗାଡିର ବଡିକୁ ସ୍ପଷ୍ଟ ଦିବା ଲୋକରେ ପିସପିସ କାଟି ଚୋରି ଘଟଣାରେ ମଙ୍ଗଳବାର ୩ଜଣ ଅଭିଯୁକ୍ତକୁ କଣିହାଁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତେଲିସିଂହା ଗାଁର ଜ୍ଞାନେନ୍ଦ୍ର ସାହୁ(୩୯), ଝରାବେରିଣୀ ଗ୍ରାମର ପ୍ରଦୀପ ସାହୁ(୩୮) ଏବଂ ଜରଡା ଗ୍ରାମର କାଳିଆ ଗୋଛାୟତ(୨୭) ବୋଲି ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ସୂଚନା ଦେଇଛନ୍ତି । ୩ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ପୁଲିସ କହିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଅପରାହ୍ନ ୫ଟା ବେଳେ ଖଣି ପ୍ରକଳ୍ପ ଅଫିସ ପଛ ପାର୍ଶ୍ବରେ ଥିବା ଏକ ହାଇଓ୍ୱା ଗାଡିର ବଢିକୁ ଚୋରି କରିବା ଉଦ୍ଦେଶ୍ୟ ରଖି ଖଣି ନିସିଦ୍ଧାଚଂଳରୁ ପିସ୍ ପିସ୍ କରି କାଟିଥିଲେ। ପରେ ଏକ ପିକଅପରେ ଲୋଡିଂ କରିଥିଲେ । ଖଣି ସୁରକ୍ଷା ଟିମ ପେଟ୍ରୋଲିଂ ସମୟରେ ନଜରରେ ପଡ଼ିଥିଲେ । ଘଟଣାସ୍ଥଳରୁ ଗ୍ୟାସ୍ ସିଲିଣ୍ଡର , କଟର ମେସିନ ସହିତ ଏହି ଚୋରି ସାମଗ୍ରୀ ଲୋଡିଙ୍ଗ ପିକଅପ୍ କୁ ଘଟଣାସ୍ଥଳରେ ଛାଡି ଚମ୍ପଟ ମାରିଥିଲେ । ପରେ ସୁରକ୍ଷା କର୍ମୀ ଖଣି ପ୍ରକଳ୍ପ ଅଧିକାରୀଙ୍କୁ ଏହି ଚୋରି ବିଷୟରେ ଅବଗତ କରିବା ପରେ ଏନେଇ ଖଣି ପ୍ରକଳ୍ପ ଅଧିକାରୀ ନାରାୟଣ ପ୍ରସାଦ ପାତ୍ରଙ୍କ ପକ୍ଷରୁ ଗତକାଲି କଣିହାଁ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୁଲିସ୍ପକ୍ଷରୁ ଏକ ଚୋରି ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ଆଜି ଅଭିଯୁକ୍ତ ଜ୍ଞାନେନ୍ଦ୍ର, ପ୍ରଦୀପ ଓ କାଳିଆକୁ କଣିହାଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।