କ୍ୟାରି ବ୍ୟାଗ ପାଇଁ ଜରିମାନା

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଜୋତା କମ୍ପାନୀ ‘ବାଟା’ ଜଣେ ଗ୍ରାହକଙ୍କୁ ଏକ ପେପର କ୍ୟାରି ବ୍ୟାଗ୍‌ ପାଇଁ ୩ ଟଙ୍କା ମାଗିବା ମହଙ୍ଗା ପଡିଛି। ଚଣ୍ଡିଗଡ଼ର ଦିନେଶ ପ୍ରସାଦ ରାତୁରି ନାମକ ଜଣେ ବ୍ୟକ୍ତି ଫେବୃୟାରୀ ୫ରେ ବାଟା ଷ୍ଟୋରରୁ ଏକଯୋଡା ଜୋତା କିଣିଥିଲେ। ଏଥିପାଇଁ ତାଙ୍କୁ ଜୋତାଦାମ ସହ କ୍ୟାରି ବ୍ୟାଗ୍‌ ଲାଗି ୩ ଟଙ୍କା ଦେବାକୁ ପଡିଥିଲା। ସେ ୩ ଟଙ୍କା ଫେରସ୍ତ ମାଗିବାରୁ ଦୋକାନି ତାଙ୍କୁ କ୍ୟାରିବ୍ୟାଗ୍‌ ବଦଳରେ ୩ ଟଙ୍କା କଟିଥିବା କହିଥିଲେ । ଏହାପରେ ସେ ଯେତେ କହିଥିଲେ ବି ଦୋକାନି ୩ ଟଙ୍କା ଫେରାଇ ନ ଥିଲେ। ଏହି ଘଟଣାକୁ ନେଇ ଗ୍ରାହକ ଦିନେଶ କଞ୍ଜୁମର ଫୋରମର ଦ୍ୱାରସ୍ଥ ହୋଇଥିଲେ। ଏବେ ଫୋରମର ରାୟ ଅନୁଯାୟୀ, କମ୍ପାନୀ ଗ୍ରାହକଙ୍କୁ ୩ଟଙ୍କା ସହ ମାମଲାରେ ଖର୍ଚ୍ଚ ବାବଦକୁ ୧ହଜାର ଟଙ୍କା ଦେବେ। ଏହାସହ ଗ୍ରାହକଙ୍କୁ ମାନସିକ ନିର୍ୟ୍ୟାତନା ଦେଇଥିବାରୁ ୩ହଜାର ଟଙ୍କା ଓ ଲିଗାଲ ହେଡ୍‌ ଆକାଉଣ୍ଟକୁ ୫ ହଜାର ଟଙ୍କା ଦେବାକୁ ବାଟାକୁ ନିର୍ଦ୍ଦେଶ ଦେଇଛନ୍ତି କଞ୍ଜୁମର ଫୋରମ୍‌।