କରୋନା ଦାଉ: କିଡନୀ ବିକିବାକୁ ପଛଉନି ମଣିଷ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ମହାମାରୀ କରୋନାର ଜାଲରେ ଛନ୍ଦିହୋଇ ପଡିଛି ସଭ୍ୟ ମଣିଷ । ସାଧାରଣ ଭୂତାଣୁ ଆକ୍ରମଣରେ ଜୀବନ ସହ ଜୀବିକା ପ୍ରଭାବିତ ହୋଇଛି । ଅଭାବ ଅନଟନ ଭିତରେ ଗତି କରୁଛି ସ୍ୱାଭିମାନୀ ମଣିଷର ଜୀବନ । ଏପରି ଘଡିସନ୍ଧି ମୁହୂର୍ତ୍ତରେ କିନ୍ତୁ କିଛି ଅପରାଧିକ ମନୋବୃତ୍ତିର ଲୋକ ନିଜ ପକେଟ ଗରମ କରୁଛନ୍ତି । ଅଭାବୀ ମଣିଷର ଅଭାବରୁ ଲାଭ ଉଠାଇବାକୁ ପଛଉ ନାହାନ୍ତି । କେତେବେଳେ ସରକାରୀ ଯୋଜନା ନାମରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କଳା କନା ବୁଲାଇ ଦେଉଛନ୍ତି ତ ପୁଣି କେଉଁଠି ଆର୍ଥିକ ସଙ୍କଟରେ ଆଣ୍ଠେଇ ପଡିଥିବା ଅସହାୟ ମଣିଷକୁ ଅଙ୍ଗ ବିକ୍ରିକରିବାକୁ ପ୍ରବର୍ତ୍ତାଉଛନ୍ତି । ମାସିକ କିଛି ହଜାର ଟଙ୍କା ଭଡା ଦେବାକୁ ଅକ୍ଷମ ଲୋକଙ୍କୁ କୋଟି କୋଟି ଟଙ୍କାର ପ୍ରଲୋଭନ ଦେଖାଇ ତାଙ୍କୁ ଅଙ୍ଗ ବିକ୍ରିକରିବାକୁ ବାଧ୍ୟ କରାଯାଉଛି । ଏପରି ଏକ ଘଟଣାକୁ ନେଇ ଆଜି ଡିସିପିଙ୍କ ନିକଟରେ ହୋଇଛି ଏକ ଅଭିଯୋଗ ।
ଭୁବନେଶ୍ୱର କଳିଙ୍ଗ ବିହାର ଛକ ନିକଟରେ ଥିବା ଏକ ହୋଟେଲ ମାଲିକଙ୍କୁ କିଡନୀ ବିକ୍ରି କରିବାକୁ ଦିଲ୍ଲୀର ଏକ ସଂସ୍ଥା ତାଙ୍କୁ ୩ କୋଟି ଟଙ୍କାର ପ୍ରଲୋଭନ ଦେଖାଇଛି । ସୋମନାଥ ଗାହାଣ ନାମକ ଜଣେ ବ୍ୟକ୍ତି କଳିଙ୍ଗ ବିହାର ଛକ ନିକଟରେ ଫେବୃଆରୀ ମାସରେ ଏକ ଛୋଟ ହୋଟେଲ କରି ସମାଜରେ ସମ୍ମାନର ସହ ବଞ୍ଚିବାକୁ ଚାହିଁଥିଲେ । ଫେବୃଆରୀରୁ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । କିନ୍ତୁ ତା ପରଠାରୁ ମହାମାରୀ କରୋନା ସଂକ୍ରମଣର ପାଇଁ ଦେଶବ୍ୟାପୀ ଲକଡାଉନ ଆରମ୍ଭ ହୋଇଗଲା । ଫଳରେ ସୋମନାଥଙ୍କ ହୋଟେଲରେ ପଡିଲା ତାଲା । ଏମଧ୍ୟରେ ୫ ମାସ ବିତି ଗଲାଣି । ସୋମନାଥଙ୍କ ସବୁ ସମ୍ବଳ ସେ ହୋଟେଲ ଖୋଲିବାରେ ଲଗାଇ ଦେଇଥିଲେ । ଏବେ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଏପରି ସମୟରେ ସୋମନାଥ ବାପା ହେବାର ଗୌରବ ହାସଲ କରିଥିଲେ ମଧ୍ୟ ଆର୍ଥିକ ଦୁରାବସ୍ଥା ତାଙ୍କ ସବୁ ସୁଖରେ ଭଟା ସୃଷ୍ଟି କରିଛି । ଗୋଟିଏ ପଟେ ହୋଟେଲ କରିଥିବା ଘରର ଭଡା ପାଇଁ ମାଲିକ ଦାଉ ସାଜୁଛି, ଅନ୍ୟପଟେ ଛୋଟ ପିଲାଟି ପାଇଁ ଆବଶ୍ୟକ ହେଉଛି ଅର୍ଥ । ଅର୍ଥ ଅଭାବ ମଧ୍ୟରେ ମାନସିକ ଚାପ ମଧ୍ୟରେ ଗତିକରୁଥିବା ସେମାନଙ୍କ ଆଖିରେ ଆସିଥିଲା ଏକ ଆକର୍ଷଣୀୟ ବିଜ୍ଞାପନ ।
ସୋମନାଥ ଫେସବୁକରେ ଏକ ବିଜ୍ଞାପନ ଦେଖିବାକୁ ପାଇଲେ, ଯେଉଁଥିରେ ଦିଲ୍ଲୀର ଏକ ହସ୍ପିଟାଲ କିଡନୀ ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲା । କେହି କିଡନୀ ବିକ୍ରି କଲେ ତାଙ୍କୁ ୩ କୋଟି ଟଙ୍କା ମିଳିବ ବୋଲି କୁହାଯାଇଛି । ଏହାକୁ ଦେଖି ଅର୍ଥାଭାବରେ ଅତିଷ୍ଠ ହୋଇପଡିଥିବା ସୋମନାଥ ସେଥିରେ ଦିଆଯାଇଥିବା ନମ୍ବରରେ କଥା ହୋଇଥିଲେ । ସେମାନେ ସୋମନାଥଙ୍କୁ ଦିଲ୍ଲୀ ଯିବାକୁ କହିଲେ । ତେବେ ଅଭାବ ଅନଟନ ଭିତରେ ଛନ୍ଦି ହୋଇପଡିଥିବା ସୋମନାଥ ପ୍ରାରମ୍ଭିକ ଅବସ୍ଥାରେ ଭାବପ୍ରବଣତାରେ କିଡନୀ ବିକ୍ରି କରିବାକୁ ରାଜି ହୋଇଥିଲେ ମଧ୍ୟ କଅଁଳ ଶିଶୁର ମୁହଁକୁ ଦେଖି ନିଷ୍ପତ୍ତିରୁ ପଛଘୁଞ୍ଚା ଦେବାକୁ ଚାହିଁଲେ । କିନ୍ତୁ ସଂସ୍ଥା ପକ୍ଷରୁ ବାରମ୍ବାର ଦିଲ୍ଲୀ ଯିବାକୁ ଆସୁଥିଲା ଡାକରା । ବାରମ୍ବାର ଡାକିବାରୁ ସୋମନାଥଙ୍କ ମନରେ ସୃଷ୍ଟି ହେଲା ସନ୍ଦେହ । ସେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ଯୋଗାଯୋଗ କଲେ । ସବ୍ୟସାଚୀଙ୍କ ପରାମର୍ଶ କ୍ରମେ ଆଜି ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ସୋମନାଥ। ବେଆଇନ ଭାବରେ କିଡନୀ ବିକିବାକୁ ପ୍ରବର୍ତ୍ତା ଯାଉଥିବା ନେଇ ହୋଇଛି ଏକ ଅଭିଯୋଗ ।