ଭୁବନେଶ୍ୱର/ ସ୍ୱରୁପା ମହାପାତ୍ର: ରାଜ୍ୟରେ ଓମିକ୍ରନ ଚିହ୍ନଟ ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଦେଇଛନ୍ତି ଆଶ୍ୱସ୍ତି । ଓମିକ୍ରନ ସଂକ୍ରମଣ ବଢୁଥିଲେ ମଧ୍ୟ ଏହା ଅଧିକ ପ୍ରଭାବ ପକାଉନାହିଁ ବୋଲି କହିଛନ୍ତି ମହାପାତ୍ର । ସେ ଆହୁରି କହିଛନ୍ତି, ଦୁଇଟି ଅଧ୍ୟୟନରୁ ଜଣାପଡିଛି, ଓମିକ୍ରନର ବିଶେଷ ପ୍ରଭାବ ପଡିନପାରେ । କିନ୍ତୁ ପୂର୍ବପରି ଆମକୁ ସଜାଗ ରହିବାକୁ ପଡିବ । ଭିଡ ନିୟନ୍ତ୍ରଣ ହେଉଛି ସୁବୁଠୁ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସର୍ଭିଲାନ୍ସ, ଟିକାକରଣ, କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଯେତେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କର ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବ ବୋଲି ସେ କହିଛନ୍ତି ।ଏପଟେ ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ୪ କୋଟି ୮୨ ଲକ୍ଷ ଟିକା ଦିଆଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଘରକୁ ଘର ଟିକାକରଣ ଜାରି ରହିଛି । ୨ କୋଟି ୮୮ ଲକ୍ଷ ଲୋକ ପ୍ରଥମ ଡୋଜ ନେଇ ସାରିଛନ୍ତି । ୩୭ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ନେଇନଥିବା ବେଳେ ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାଁନ୍ତି । ଜାନୁଆରୀ ୧୫ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଲକ୍ଷ ରଖାଯାଇଛି ବୋଲି ସେ କହିଛନ୍ତି ।