ଓଡିଶା ବଜାରରେ ଚୀନ ମୋବାଇଲ ଫୋନର ଚାହିଦା ଅଧିକ

0

(ରିପୋଟର୍ସ ଟୁଡେ): ସୀମାରେ ଭାରତ ଚୀନ୍‌ ବିବାଦ ଘନେଇବାରେ ଲାଗିଥିବା ବେଳେ ଦେଶରେ ଚୀନ୍‌ ସାମଗ୍ରୀ ବର୍ଜନ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଲୋକେ ରାସ୍ତାଘାଟରେ ଚୀନ୍‌ ସାମଗ୍ରୀ ପୋଡ଼ି ପକାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ମୋବାଇଲ୍‌ ବଜାରରେ ପୂର୍ବ ସ୍ଥିତି ସେମିତି ଅତୁଟ ରହିଛି। ଚୀନ୍‌ ମୋବାଇଲ୍‌ ଫୋନ୍‌ କମ୍ପାନିମାନେ ଭାରତ ବଜାରକୁ କବ୍‌ଜା କରି ରଖିଛନ୍ତି। ବିକଳ୍ପ ନଥିବାରୁ ଚୀନ୍‌ ପ୍ରସ୍ତୁତ ମୋବାଇଲ୍‌ ଫୋନ୍‌ ଏବେ ବି ଗ୍ରାହକମାନଙ୍କ ପ୍ରଥମ ପସନ୍ଦ ହୋଇ ରହିଛି। ଫଳରେ ଭାରତ ବଜାରରେ ଚୀନ୍‌ ପ୍ରସ୍ତୁତ ମୋବାଇଲ୍‌ ବିକ୍ରି‌ରେ କୌଣସି ପ୍ରଭାବ ପଡ଼ି ନଥିବା ଦେଖିବାକୁ ମିଳୁଛି। ଏବେ ବି ଚୀନ୍‌ କମ୍ପାନିଗୁଡ଼ିକର ମୋବାଇଲ୍‌ ଫୋନ୍‌ ଓଡ଼ିଶା ବଜାରରେ ୮୦ ଶତକଡ଼ାରୁ ଅଧିକ ବିକ୍ରି ହେଉଛି।
ଭୁବନେଶ୍ବର ବଜାରରୁ ମିଳିଥିବା ତଥ୍ୟ ଅନୁସାରେ, ଗ୍ରାହକଙ୍କ ପ୍ରଥମ ପସନ୍ଦ ହେଉଛି ଭିଭୋ, ଓପୋ, ସାଓମି ଭଳି ଚୀନ୍‌ ପ୍ରସ୍ତୁତ ମୋବାଇଲ୍‌ ଫୋନ୍‌। ଖଣ୍ଡଗିରିରେ ମୋବାଇଲ୍‌ ଦୋକାନ କରିଥିବା ଅର୍ମଦା ନାୟକଙ୍କ ସୂଚନାନୁସାରେ, ଗତ ସପ୍ତାହରେ ସେ ୧୮୬ଟି ମୋବାଇଲ୍‌ ବିକ୍ରି କରିଥିଲେ। ସେଥିରେ ଚାଇନା ନିର୍ମିତ ମୋବାଇଲ୍‌ ଥିଲା ୧୫୧ଟି। ସେଥିମଧ୍ୟରୁ ସର୍ବାଧିକ ୭୦ଟି ସେଟ୍‌ ଓପୋ କମ୍ପାନିର ଥିଲା। ଏହା ପଛକୁ ଭିଭୋ କମ୍ପାନିର ସେଟ୍‌ ଓ ବହୁ କମ୍ ସଂଖ୍ୟକ ସାମ୍‌ସଙ୍ଗ ସେଟ୍‌ ବିକ୍ରି କରିଥିଲେ। ସେହିଭଳି ରାଜଧାନୀର ଅନ୍ୟ ବଜାରରୁ ମଧ୍ୟ ଅନୁରୂପ ତଥ୍ୟ ମିଳିଛି। ‌ବିକ୍ରି ହେଉଥିବା ମୋବାଇଲ୍‌ ମଧ୍ୟରେ ଶତକଡ଼ା ୭୦ରୁ ୮୦ ଭାଗ ହେଉଛି ଚୀନ୍‌ ପ୍ରସ୍ତୁତ ସେଟ୍। ଚୀନ୍‌ ମୋବାଇଲ୍‌ ଫୋନ୍‌ର ବର୍ଦ୍ଧିତ ଚାହିଦା ଉପରେ ‌ବ୍ୟବସାୟୀମାନଙ୍କ କହିବା କଥା ଚୀନ୍‌ କମ୍ପାନିମାନଙ୍କର ଗ୍ରାହକ ସେବା ବଡ଼ ପ୍ରସଙ୍ଗ ହୋଇ ରହିଛି। କୌଣସି ଉତ୍ପାଦରେ ଜଣେ ଗ୍ରାହକ ବିନିଯୋଗ କରୁଥିବା ଅର୍ଥରୁ କିଭଳି ଭଲ ସେବା ପାଇବ, ତାହାକୁ ଚୀନ୍‌ କମ୍ପାନିମାନେ ଅଧିକ ଧ୍ୟାନରେ ରଖି କାରବାର କରୁଛନ୍ତି। କମ୍‌ ମୂଲ୍ୟରେ ବା ସମାନ ମୂଲ୍ୟରେ ଗ୍ରାହକକୁ ଅଧିକ ଉନ୍ନତ ଜ୍ଞାନକୌଶଳ ସହିତ ଉନ୍ନତ ସେବା ଯୋଗାଇବାକୁ ଚୀନ୍ କମ୍ପାନିମାନେ ଗୁରୁତ୍ବ ଦେଉଛନ୍ତି। ତେଣୁ ଦକ୍ଷିଣ କୋରିଆ ପ୍ରସ୍ତୁତ ସାମ୍‌ସଙ୍ଗ ସେଟ୍‌ କିଣି ଜଣେ ଗ୍ରାହକ ଯେତିକି ସେବା ପାଇ ପାରୁଛି, ତା’ଠାରୁ କମ୍ ଅର୍ଥ ବିନିଯୋଗ କରି ଚୀନ୍‌ କମ୍ପାନି ଭିଭୋ, ଓପୋ ବା ସାଓମି ସେଟ୍‌ କିଣି ଗ୍ରାହକ ଜଣକ ଅଧିକ ସେବା ପାଇପାରୁଛି। ତେଣୁ କମ୍ ମୂଲ୍ୟରେ ଅଧିକ ବୈଶିଷ୍ଟ୍ୟଯୁକ୍ତ ମୋବାଇଲ୍ ଯୋଗାଉଥିବାରୁ ଚୀନ୍ କମ୍ପାନିମାନେ ଭାରତ ବଜାରକୁ ମାଡ଼ି ବସିବାରେ ସକ୍ଷମ ହୋଇଛନ୍ତି।