ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲା ଓମିକ୍ରନ! ଅବଶ୍ୟ ଏହା ସ୍ପଷ୍ଟ ହୋଇନାହିଁ, ତେବେ ରିସ୍କ ଦେଶ ଫେରନ୍ତ।। ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରର ଏହି ବ୍ୟକ୍ତି ଏବେ ଆଇସୋଲେସନରେ । ସେ ଜଗତସିଂହପୁର ଓ କଟକ ଯାଆସ କରିଥିଲେ । ତିନି ଦିନ ତଳେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ଘରୋଇ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି । ଯେହେତୁ ରିସ୍କ ଦେଶରୁ ଫେରିଛନ୍ତି, ତେଣୁ ତାଙ୍କର ଜିନମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଯାଇଛି । କଟକକୁ ବିଦେଶରୁ ଆସିଥିବା ୧୦୦ ଜଣ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଥିବା ସିଡିଏମ୍ଓ କହିଛନ୍ତି ।
ସେପଟେ ଦେଶରେ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । କରୋନାର ଦ୍ୱିତୀୟ ଲହର ପରି ପୁଣି ଥରେ ସ୍ଥିତି ଉପୁଜିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କଲେଣି । ଆଉ ଏହାରି ମଧ୍ୟରେ ସମ୍ଭାବ୍ୟ ୩ୟ ଲହରକୁ ନେଇ ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହାକୁ ନେଇ ବେଶି ଚିନ୍ତା ବଢିଛି । ସେ କହିଛନ୍ତି, ବିଦେଶରୁ ଅନେକ ଲୋକ ଦେଶକୁ ଆସୁଛନ୍ତି । ତେଣୁ ସଂକ୍ରମଣ ଯେ ନବଢିବ ତାହାକୁ କେହି କହିପାରିବେ ନାହିଁ । ତୃତୀୟ ଲହର ନିଶ୍ଚିତ ଭାବରେ ଓମିକ୍ରନ ହେବ । ଓମିକ୍ରନ ଯେଉଁ ପରି ସଂକ୍ରମଣ କରୁଛି ତାହା ଚିନ୍ତାଜନକ । ଖାସ୍ କରି ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ୍ ସ୍ଥିତି ଅଧିକ ଜଟିଳ ରହିଛି । ତେଣୁ ବେଳ ଥାଉ ଥାଉ ଆମେ ସଚେତନ ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ଶ୍ରୀମିଶ୍ର କହିଛନ୍ତି । ଏହାସହ ସେ କହିଛନ୍ତି, ବିଦେଶରେ ବର୍ତ୍ତମାନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଅନୁସାରେ ଭାରତରେ ଦୈନିକ ସଂକ୍ରମଣ ୨୦ ରୁ ୨୫ ଲକ୍ଷ ଆସିପାରେ ।