ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ରେ ଓଡ଼ିଆ ଝିଅ ଜଗଜିତା ଦାଶଙ୍କ ବାଜିମାତ

ମୁମ୍ବାଇ: ୨୬ ବର୍ଷୀୟା ଓଡ଼ିଆ ଝିଅ ଜଗଜିତା ଦାଶ ମୁମ୍ବାଇରେ ଅନୁଷ୍ଠିତ ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ରେ ସେକେଣ୍ଡ ରନର-ଅପ ହୋଇଛନ୍ତି । ମିସ କ୍ୟାଟେଗୋରୀ ଫାଇନାଲ ରାଉଣ୍ଡକୁ ଦେଶରୁ ୨୦ ଜଣ ସିଲେକ୍ଟ ହୋଇଥିବାବେଳେ, ଚମତ୍କାର୍ ପ୍ରଦର୍ଶନ ସହ ଜଗଜିତା ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ଶୋ’ ରେ ଇଣ୍ଟ୍ରୋଡକ୍ସନ, ଟ୍ୟାଲେଣ୍ଟ, ସ୍ବିନୱେର, ଫିଟନେସ, ନ୍ୟାସନାଲ କଷ୍ଟ୍ୟୁମ, କକଟେଲ, ଡିଜାଇନର, ଏଭେନିଙ୍ଗ ଗାଉନ ଭଳି ରାଉଣ୍ଡ ରହିଥିଲା।
ନ୍ୟାସନାଲ କଷ୍ଟ୍ୟୁମ ରାଉଣ୍ଡରେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଓଡ଼ିଆଣୀ ବେଶରେ ମହାପ୍ରଭୁଙ୍କ ଦାସୀ ଭଳି ରାମ୍ପରେ ଚାଲିଥିଲେ ଏହି ଓଡ଼ିଆ ମଡେଲ। ସମସ୍ତ ରାଉଣ୍ଡରେ ନିଜର ଦକ୍ଷତା ଓ ସ୍ୱତନ୍ତ୍ରତା ବଳରେ ସେ ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିଥିଲେ । ଏହି ଶୋ’ ର ସେକେଣ୍ଡ ରନରଅପ ହୋଇଥିବା ଓଡ଼ିଆ ଝିଅ ଜଗଜିତା ଙ୍କ ଘର ହେଉଛି ଢେଙ୍କାନାଳ ଜିଲ୍ଲା ରେ।
ଅଁଳା ବେରଣ ନିବାସୀ ଚିତ୍ତରଞ୍ଜନ ଦାଶ ଓ ମଞ୍ଜୁଲତା ଦାଶ ଙ୍କ ଝିଅ ହେଉଛନ୍ତି ଜଗଜିତା । ବାପା ଜଣେ ସରକାରୀ କର୍ମଚାରୀ ଓ ମା ଜଣେ ଶିକ୍ଷୟିତ୍ରୀ । ଜଗଜିତା ଜଣେ ସଫ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ଅଭିନୟ ଓ ମଡେଲିଂ ରେ ତାଙ୍କର ପିଲାଟି ଦିନରୁ ରୁଚି ରହିଛି। ଏହା ସହ ଏକାଧିକ ମ୍ୟୁଜିକ ଭିଡ଼ିଓ ରେ ମଧ୍ୟ ନଜର ଆସି ଦର୍ଶକ ଙ୍କ ମନ ଜିଣିସାରିଛନ୍ତି ଜଗଜିତା। ଆଉ ଏବେ ଏହି ପାଜେଣ୍ଟ ଶୋ’ ରେ ସେକେଣ୍ଡ ରନର ଅପ ହୋଇ ଜାତୀୟ ସ୍ତରରେ ରାଜ୍ୟର ନାଁ କୁ ଗୌରବାନ୍ବିତ କରିଛନ୍ତି ।