ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଏହି ଭିଡିଓରେ ଦୃଶ୍ୟମାନ ହେଉଥିବା ପିପିଇ କିଟ ପିନ୍ଧିଥିବା କୌଣସି ହସ୍ପିଟାଲର ସ୍ୱାସ୍ଥ୍ୟ କର୍ମୀ । କିନ୍ତୁ ନା, ଏମାନେ କୌଣସି ସ୍ୱାସ୍ଥ୍ୟକର୍ମୀ ନୁହଁନ୍ତି । ସମସ୍ତେ ଜଣେ ଜଣେ ସାମ୍ବାଦିକ । ଏବେ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟ ଏମିତି ଘର କରିଛି କି, ସେମାନଙ୍କ ମାନବିକତା ମରିଯାଉଛି । ଗାଁର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପିତାମ୍ବର ପାଢୀଙ୍କ ମୃତ୍ୟୁ ପରେ କେହି ତାଙ୍କୁ କାନ୍ଧ ଦେବାକୁ ବାହାରିଲେ ନାହିଁ । ଶେଷରେ ଏହି ସାହସୀ ସାମ୍ବାଦିକମାନେ ଆଗେଇ ଆସିଥିଲେ ମୃତକଙ୍କ ଶବସକ୍ରାର କରିବାକୁ । ଏହି ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ସେରଗଡ ଗାଁରେ ।
ସେରଗଡ ଗାଁର ବଡଦାଣ୍ଡରେ ବୃଦ୍ଧ ପିତାମ୍ବରଙ୍କ ଘର । ତାଙ୍କ ମୃତ୍ୟୁ ପରେ ତାଙ୍କୁ ମିଳିଲାନି ୪ଟି କାନ୍ଧ । କାରଣ ମୃତ୍ୟୁ ପୂର୍ବରୁ ସେ ଜ୍ୱର ଓ କାସରେ ପୀଡିତ ଥିଲେ । ଚିକିତ୍ସା ବି ଚାଲିଥିଲା । କିନ୍ତୁ ଶେଷରେ ହାରି ଯାଇଥିଲେ ବୃଦ୍ଧ ପିତାମ୍ବର। ପିତାମ୍ବରଙ୍କ ଦୁଇ ପୁଅ ବାହାରେ ରହୁଛନ୍ତି । ବର୍ତ୍ତମାନ ସେମାନଙ୍କ ଫେରିବା ଅସମ୍ଭବ । ଏପରି ସମୟରେ ଯେତେବେଳେ ପରିବାର ଲୋକ ସାହି ପଡିଶାଙ୍କୁ ଶବଦାହ ପାଇଁ ଡାକିଲେ, କେହି ରାଜି ହେଲେ ନାହିଁ କି ତାଙ୍କ ଦାଣ୍ଡ ଦୁଆର ମାଡିଲେ ନାହିଁ । ଗ୍ରାମବାସୀ ଏବଂ ଆଖପାଖ ଲୋକଙ୍କ ମନରେ ସନ୍ଦେହ, ତାଙ୍କର ମୃତ୍ୟୁ କରୋନାରେ ହୋଇଛି। ଦୀର୍ଘ ସମୟ ଧରି ପଡ଼ିରହିଲା ପିତାମ୍ବରଙ୍କ ମୃତଦେହ ଦାହ ଅପେକ୍ଷାରେ । ଏମିତି ସମୟରେ ମାନବିକତା ଦେଖାଇଲେ ୪ ସାମ୍ବାଦିକ। ବାଲାଜି ପ୍ରଧାନ, ମେଘନାଦ ଦାସ, ଶଙ୍କର ପ୍ରଧାନ ଏବଂ ଅଜିତ ପ୍ରଧାନ ପିପିଇ କିଟ ପିନ୍ଧି ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ ବ୍ରହ୍ମପୁର ମେଡ଼ିକାଲକୁ ଶବଦାହ ପାଇଁ । ସେଠାରେ ତାଙ୍କ ଶେଷକୃତ୍ୟ ଶେଷ ହୋଇଥିଲା ।