ଏଣିକି ଅଙ୍ଗନୱାଡିରେ ମିଳିବ ୫ ଦିନ ଅଣ୍ଡା

ଭୁବନେଶ୍ୱର/ ରାଜେଶ ସାହୁ: ରାଜ୍ୟରେ ମହିଳା ଓ ଶିଶୁ ବିକାଶକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ରାଜ୍ୟରେ ଆଉ ୧୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି। ଏନେଇ ଶନିବାର ବିଧାନସଭାରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।
ବିଧାନସଭାରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, “ଶିଶୁମାନଙ୍କ ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି। ତେଣୁ ଅଙ୍ଗନବାଡ଼ି କେନ୍ଦ୍ରରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଏଥିସହ ରାଜ୍ୟରେ ଆହୁରି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ୬୨ ହଜାର ୧୭୧ ଟି ଅଙ୍ଗନବାଡ଼ି ଓ ୧୦ ହଜାର ୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଆଉ ୭ହଜାର ୮୪୪ଟି ନୂଆ କେନ୍ଦ୍ର ଖୋଲିବା ଲାଗି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କର ଆଦେଶ ଅନୁସାରେ ତର୍ଜମା କରି ରିପୋର୍ଟ ଦେବାକୁ କହିଛି କେନ୍ଦ୍ର। ଜନଜାତି ଓ ଅପପୃଷ୍ଟି ଅଞ୍ଚଳମାନଙ୍କରେ ୧୫୬୭ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ମଞ୍ଜୁରୀ ଦିଆଯାଇଛି।”
ସେ ଆଉ ମଧ୍ୟ କହିଛନ୍ତି ଯେ, ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ସମସ୍ୟା ଥିଲେ, ଜାଗା ଚିହ୍ନଟ କରିବେ ଜିଲ୍ଲାପାଳ। ଗୋଟିଏ କେନ୍ଦ୍ର ଖୋଲିବାକୁ ୭ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ମନରେଗାରେ ୫ଲକ୍ଷ ଟଙ୍କା ଦେବାକୁ ଥିବାବେଳେ, ରାଜ୍ୟ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କା ଯୋଗାଇ ଦିଆଯିବ।