(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ଇରାନ ସହ ଆମଦାନୀ-ରପ୍ତାନି ଲାଗି କାରବାର କରିବାକୁ କେନ୍ଦ୍ର ସରକାର ଆଇଡିବିଆଇ ବ୍ୟାଙ୍କକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆମେରିକାର କଟକଣା ପରେ ଭାରତ ଓ ଇରାନ ମଧ୍ୟରେ ଟଙ୍କା ବିନିମୟରେ ହେଉଥିବା କାରବାର ଅଧିକ ସହଜ ହେବ। ଆମେରିକାର କଟକଣା ପରେ ୟୁକୋ ବ୍ୟାଙ୍କ ୨୦୧୮ ଅଗଷ୍ଟ ୬ରୁ ହେଉଥିବା କାରବାରକୁ ସମ୍ଭାଳୁଥିଲା। ଅଶୋଧିତ ତେଲ କିଣିବା ଲାଗି ୟୁରୋପୀୟ ବ୍ୟାଙ୍କ ମାଧ୍ୟମରେ ଇରାନକୁ ଅର୍ଥ ପୈଠ କରୁଥିଲା ଭାରତ। ତେବେ କଟକଣା ପରେ ସେହି ଚ୍ୟାନେଲ ବନ୍ଦ ହୋଇଯାଇଛି। ଫଳରେ ଦୁଇ ଦେଶ ସହମତିକ୍ରମେ ଏବେ ଟଙ୍କା ବିନିମୟରେ ତେଲ କାରବାର କରୁଛନ୍ତି। ସୂଚନାଥାଉ କି, ଭାରତ ଓ ଇରାନ ମଧ୍ୟରେ ୨୦୧୭-୧୮ରେ ବାଣିଜ୍ୟ କାରବାର ୧୩.୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହା କି ପୂର୍ବବର୍ଷ ୧୨.୯ ବିଲିୟନ ଡଲାର ଥିଲା। ତେବେ ଇରାନ ସହ ବାଣିଜ୍ୟ କାରବାର ପାଇଁ ଦେଶର ଅଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସରକାର ଅନୁମତି ଦିଅନ୍ତୁ ବୋଲି ଫେଡେରେଶନ ଅଫ୍ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେଶନ ପକ୍ଷରୁ କୁହାଯାଇଛି। ସରକାରଙ୍କ ନିଷ୍ପତ୍ତି ଯୋଗୁ ୟୁକୋ ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କ ମଧ୍ୟରେ ଗ୍ରାହକ ସମର୍ଥତ୍ତ ପ୍ରତିଯୋଗିତା ଆରମ୍ଭ ହେବ ବୋଲି ଅଗାନାଇଜେଶନ ପ୍ରେସିଡେଣ୍ଟ ଗଣେଶ କୁମାର ଗୁପ୍ତା କହିଛନ୍ତି।