ଆୟକର ଗେଜେଟେଡ ଅଫିସର ସଂଘର ସର୍ବଭାରତୀୟ ସମ୍ମିଳନୀ

(ତ୍ରିଲୋଚନ/ରିପୋର୍ଟରସ ଟୁଡେ)ଭୁବନେଶ୍ୱର: ଆୟକର ଗେଜେଟେଡ ଅଫିସର ସଂଘର ସର୍ବଭାରତୀୟ ସମ୍ମିଳନୀ ଆଜି ହୋଟେଲ ସାଣ୍ଡି ଟାୱାର୍ସଠାରେ ଉଦଘାଟିତ ହୋଇଯାଇଛି। ଏହି ଦୁଇଦିନିଆ ସମ୍ମିଳନୀକୁ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର ବିଶ୍ବନାଥ ଝା ଉଦଘାଟନ କରିଛନ୍ତି। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ଆୟକର ଭିତ୍ତିଭୂମି ଦୃଢୀକରଣ, କ୍ୟାରିୟର ପ୍ରମୋଶନ ,ଆୟକର ସଂଗ୍ରହ ବୃଦ୍ଧି, ଅଧିକାରୀଙ୍କ କ୍ୟାଡର ସମସ୍ୟା, ବିଭିନ୍ନ ଚ୍ୟାଲେଞ୍ଜର ଦୂରୀକରଣ ଭଳି ପ୍ରସଙ୍ଗ ସ୍ଥାନିତ କରାଯିବ। ସମ୍ମିଳନୀରେ ବାହାରିଥିବା ନିଷ୍କର୍ଷକୁ ନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡ଼ିଟି) କୁ ପ୍ରସ୍ତାବ ଦିଆଯିବ। ଆୟକର ବିଭାଗ ଦ୍ରୁତ ହାରରେ ଇ-ଗଭର୍ନାସ ଆଡକୁ ଯାଉଥିବାରୁ ଭିତ୍ତିଭୂମି ଉନ୍ନତି ଉପରେ ଗୁରୁତ୍ୱାରୋପ କରାଯାଉଥିବା ସେ କହିଛନ୍ତି। କ୍ୟାଡର ପୁନର୍ଗଠନ, ପ୍ରମୋଟେଡ ଅଧିକାରୀଙ୍କ କ୍ୟାରିୟର କାର୍ୟ୍ୟସ୍ଥିତି, ବେତନ ଭଳି ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସଂଘର ଜାତୀୟ ସଭାପତି ଅରବିନ୍ଦ କୁମାର ତ୍ରିବେଦୀ କହିଛନ୍ତି। ବିଭିନ୍ନ ଓ୍ବିଙ୍ଗଗୁଡ଼ିକର କାର୍ୟ୍ୟ ପ୍ରଣାଳୀ, କର୍ମଚାରୀ ଆବଶ୍ୟକତା, ଆଡହକ ପ୍ରମୋଶନକୁ ନିୟମିତ କରିବା, ଠିକ୍ ସମୟରେ ପଦୋନ୍ନତି ଭଳି ପ୍ରସଙ୍ଗ ଏଥିରେ ସାମିଲ କରାଯିବ ସହ କାର୍ୟ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କାର୍ୟ୍ୟକ୍ରମରେ ସାରା ଦେଶରୁ ୧୨୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ଅବସରରେ ସଂଘର ଓଡ଼ିଶା ସଧାରଣ ସମ୍ପାଦକ ଏମ୍.କେ ପତି, ଆଇଟିଇଏମ୍ ଓଡ଼ିଶା ସାଧାରଣ ସମ୍ପାଦକ ସି.ଆର୍. ପଟ୍ଟନାୟକ, ଆଇଟିଇଏଫ୍ ପକ୍ଷରୁ ଉପସଭାପତି ଅଜୟ ତିଓ୍ବାରୀ, ଆଇଆର୍ଏସ୍ଏ ସାଧାରଣ ସମ୍ପାଦକ ସୁରେଶ ଶିବାନନ୍ଦ ପ୍ରମୂଖ ପ୍ରମୁଖ ଉପସ୍ଥିତ ଥିଲେ।