(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ ଉତ୍ତର ପ୍ରଦେଶର ଗୋରଖପୁରରୁ ଆନୁଷ୍ଠାନିକଭାବେ ଆରମ୍ଭ କରିବେ। ପିଏମ-କିଷାନ ପୋର୍ଟାଲରେ ସେହିଦିନ ପର୍ୟ୍ୟନ୍ତ ଅପଲୋଡ୍ ହୋଇଥିବା କୃଷକଙ୍କ ନାମକୁ ହିତାଧିକାରୀଭାବେ ବିବେଚନା କରାଯାଇ ପ୍ରଥମ ପର୍ୟ୍ୟାୟ ଅର୍ଥ ପ୍ରଦାନ କରାଯିବ। ଏହାପରେ ଦ୍ବିତୀୟ ପର୍ୟ୍ୟାୟ ଅର୍ଥ ଏପ୍ରିଲ ୧ରୁ ପ୍ରଦାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତା ୨୪ ତାରିଖରେ କୋଟିଏ କୃଷକଙ୍କୁ ଅର୍ଥ ପ୍ରଦାନ କରିବା ନେଇ ଆଶା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଏହି ଯୋଜନାରେ ଦେଶର ପ୍ରାୟ ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି ଆଶା ରଖାଯାଇଛି। ୨୪ ତାରିଖରେ ଗୋରଖପୁରରେ ଏକ କୃଷକ ରାଲି ଅନୁଷ୍ଠିତ ହେବ। ସେହି ରାଲିରେ ପ୍ରଧାନମନ୍ତ୍ରୀ ୧ କୋଟି କୃଷକଙ୍କୁ ଏହି ଅର୍ଥ ସ୍ଥାନାନ୍ତର କରିବେ ବୋଲି ଅଧିକାରୀ ଜଣକ କହିଛନ୍ତି। ଯୋଗ୍ୟ ହିତାଧିକାରୀ ତାଲିକାରେ ଯଦି କୃଷକଙ୍କ ନାମ ପ୍ରାରମ୍ଭିକ ପର୍ୟ୍ୟାୟ ତାଲିକାରେ ସ୍ଥାନ ପାଇ ନଥାଏ ତାହେଲେ ସେମାନଙ୍କୁ ପ୍ରଥମ ପର୍ୟ୍ୟାୟ ଅର୍ଥ ମିଳିବ କି ପ୍ରଶ୍ନରେ ଅଧିକାରୀ ଜଣକ କହିଛନ୍ତି, ବ୍ୟବସ୍ଥାରେ ଥିବା ତ୍ରୁଟିବିଚ୍ୟୁତି କିମ୍ବା ଅପାରଗତା କାରଣରୁ କୌଣସି କୃଷକ ଯେଭଳି ବାଦ ନପଡ଼ିବେ ତାହା ଆମର ମୌଳିକ ନୀତି । ସେହିଭଳି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ ଆଦିବାସୀ ଚାଷୀମାନଙ୍କ ପାଇଁ ମଧ୍ୟ ସମାଧାନର ପନ୍ଥା ବାହାର କରାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। ପିଏମ କିଷାନ ପୋର୍ଟାଲ ଗୁରୁବାରଠାରୁ ଆରମ୍ଭ ହେବ।