ଆଜି ଠାରୁ ଆରମ୍ଭ ପଞ୍ଚୁକ ବ୍ରତ , ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

0

(ରିପୋର୍ଟସ ଟୁଡ଼େ): ଆଜି ଠାରୁ ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ। ଶ୍ରୀମନ୍ଦିରରେ ମହାପ୍ରଭୁ ଏହି ଦିନରୁ ପାଂଚ ଦିନ ଧରି ବିଭିନ୍ନ ସ୍ୱତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କର ରାଇ ଦାମୋଦର ବେଶ ଗତକାଲି ଶେଷ ହୋଇଥିବାବେଳେ ମହାପ୍ରଭୁ ପଂଚୁକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶରେ ଦର୍ଶନ ଦେଉଛନ୍ତି। ଭକ୍ତଙ୍କ ଶୃଂଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିବାବେଳେ ୮୦ ଜଣ ଅଫିସରଙ୍କ ସହ ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ସେହିପରି ମହାପ୍ରଭୁ ଆସନ୍ତାକାଲି ପଂଚୁକର ଦ୍ୱିତୀୟ ଦିନରେ ବାଙ୍କଚୂଡ ବେଶ , ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶ ଓ ଶେଷ ଦିନରେ ତଥା କାର୍ତିକ ପୂର୍ଣ୍ଣିମା ଦିନ ରାଜାଧିରାଜ ବେଶରେ ଶ୍ରୀଜୀଉ ଦର୍ଶନ ଦେବେ। ଏଥିପାଇଁ ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ନୀତି ମଧ୍ୟ ଚୂଡାନ୍ତ ହୋଇଛି।
ଅନ୍ୟପଟେ ପଂଚୁକ ପାଇଁ ରାଜ୍ୟର ସମସ୍ତ ଶୈବପୀଠରେ ଭକ୍ତମାନଙ୍କର ପ୍ରବଳ ଭିଡ ରହିଥିବାବେଳେ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାବେଶ ହୋଇଛି । ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି । ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ୩୦ ଜଣ ପୋଲିସ ଅଫିସର, ୨ ଜଣ ଆଡିସନାଲ ଏସପିଙ୍କ ସହ ସନ୍ଧାନି କୁକୁର ନିୟୋଜିତ ରହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, କାର୍ତିକ ମାସର ଶୁକ୍ଳ ଏକାଦଶୀକୁ ବଡ ଏକାଦଶୀ ଭାବରେ ପାଳନ କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଭଗବାନ ଶ୍ରୀହରି ବଳି ରାଜାଙ୍କ ରାଜ୍ୟରେ ଚାତୁର୍ମାସ୍ୟ ପାଳନ କରି ବୈକୁଣ୍ଠ ଫେରିଥିଲେ । ଏହି ଏକାଦଶୀକୁ ପ୍ରବୋଧନା ଏକାଦଶୀ ବା ଦେବଉତଥାନ ଏକାଦଶୀ ଭାବରେ ପାଳନ କରାଯାଇଥାଏ ।