ସାମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଆଦିବାସୀ , ତିନି ପଞ୍ଚାୟତର ତିନି ଶହରୁ ଉର୍ଦ୍ଧ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ
(ରଜନୀକାନ୍ତ ପାତ୍ର / ଗଞ୍ଜାମ): ସାମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଯାହାକୁ ନେଇ ପାତ୍ରପୁର ବ୍ଳକ ଅନ୍ତର୍ଗତ ଦୁର୍ଗମ ଆଙ୍କୁଲି,ତୁମ୍ବା ଓ ବୁରାତାଲ ପଞ୍ଚାୟତର ଆଦିବାସୀ ମାନେ ଚିନ୍ତାରେ ପଡିଯାଇଛନ୍ତି। ବିଶେଷ କରି ବାଘଲଟି ଜଳଭଣ୍ଡାର ଉପର ମୁଣ୍ଡରେ ରହିଥିବା ଏଲଗଲ, ଶିରିଶିଗଣ୍ଡ, ମାଡୁଆ ଗୁମ୍ମା, ବେହେରା ପୁଟୁ ଓ ବଣିଆବସା ଗ୍ରାମର ଆଦିବାସୀ ମାନେ ଆତଙ୍କିତ ହୋଇ ପଡିଛନ୍ତି। ପ୍ରଶାସନ ପକ୍ଷରୁ ଦୁର୍ଗମ ପାହାଡ ଉପରେ ଥିବା ଗ୍ରାମର ଅଧିବାସୀ ମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଲାଗି ଅନୁରୋଧ କରିଥିଲେ। ସେମାନେ ଗାଁ ଛାଡ଼ି ଆସିବାକୁ ରାଜି ହୋଇନଥିଲେ। ତେବେ ଆଜି ପ୍ରଶାସନ ପକ୍ଷରୁ ସହାୟକ ଯନ୍ତ୍ରୀ ବିଶ୍ବନାଥ ମହାରଣା, କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଜେନା, ଜରଡା ରାଜସ୍ବ ଅଧିକାରୀ ଓ ଜିଆରଏସ ସମେତ ଖାରିଆଗୁଡା ଫାଣ୍ଡି ପୋଲିସ ପାହାଡ ଚଢି ଜଳ ଭଣ୍ଡାର ଉପର ମୁଣ୍ଡରେ ଥିବା ଗ୍ରାମବାସୀ ବହୁ ବୁଝାସୁଝା କରିଥିଲେ।ପରେ ଏଲଗଲ , ଶିରିଶିଗଣ୍ଡ, ବେହେରା ପୁଟୁ ଓ ମାଡୁଆ ଗୁମ୍ମା ଗ୍ରାମର ପ୍ରାୟ ୮୦ରୁ ଉର୍ଦ୍ଧ ବ୍ୟକ୍ତି ସପରିବାର ସହିତ ତିନି କିମି ପାହାଡ ରାସ୍ତା ଚଢି ଆସିବା ପରେ ବଡନାଳ ଠାରୁ ଟ୍ରାକ୍ଟର ଯୋଗେ ତାଡକାସାହି ଠାରେ ପହଞ୍ଚିଥିଲେ। ଆସିବା ବେଳେ ଦୁର୍ଗମ ଜଙ୍ଗଲ ପଥରେ ଏଲଗଲ ଗ୍ରାମର ସୁଦର୍ଶନ ବେହେରାଙ୍କ ପତ୍ନୀ ପଙ୍କଜିନି ବେହେରା ସଂଜ୍ଞା ହୀନ ହେବା ପରେ ତାଙ୍କୁ ଚିକିତ୍ସା କରି ସୁସ୍ଥ ହେବା ପରେ ତାଡକା ସାହି ଅଣାଯାଇଥିଲା। ସେହିପରି ବୁରାତାଲ ପଞ୍ଚାୟତର ମାରମାରିଆ, ମୁଣ୍ଡେଇସିଙ୍ଗି,ମହାଲିମ୍ବ,ତାଡିଙ୍ଗି ଓ ସାନ ଅଂଶୁପା ଗ୍ରାମର ଲୋକ ଆସି ବୁରାତାଲ ଆଦିବାସୀ ହୋଷ୍ଟଲେ ରହିଥିବା ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉଳ ପ୍ରକାଶ କରିଛନ୍ତି। ସେହିପରି ତୁମ୍ବା ପଞ୍ଚାୟତର ବାଲିଗାଁ ଓ ତାଵୁଡିଆରୁ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସିନ୍ଦୁରବାଡରେ ରଖା ଯାଇଥିବା ଜଣାପଡିଛି।