ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ ସରକାରଙ୍କୁ ସତର୍କ କଲା

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ସରକାରଙ୍କୁ ସତର୍କ କଲା ମୁଡିସ । କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଆଗତ କରିବାପରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ରାଜସ୍ବ ଆଦାୟ ବୃଦ୍ଧି ନେଇ ସେଭଳି କିଛି ଯୋଜନା କରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରେଟିଂ ସଂସ୍ଥା ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ ସରକାରଙ୍କୁ ସତର୍କ କରାଇଲାଣି। ବିତ୍ତୀୟ ନିଅଣ୍ଟ ୩.୪ ପ୍ରତିଶତରେ ରହିବ ବୋଲି ଅର୍ଥମନ୍ତ୍ରୀ ବଜେଟରେ ଲକ୍ଷ୍ୟ ରଖିଥିଲେ ମଧ୍ୟ ଏହା ସୀମା ମଧ୍ୟରେ ରହିବା କଷ୍ଟସାଧ୍ୟ ହେବ ବୋଲି ମୁଡିସ୍ ଚେତେଇ ଦେଇଛି। ମୁଡିସ୍ ଏହା ମଧ୍ୟ କହିଛି ଯେ, ଜିଡିପି ତୁଳନାରେ ଭାରତ ସରକାରଙ୍କ ଋଣ ବହୁ ଅଧିକ ରହିଛି। ସରକାର ଯଦି କେବଳ ବିତ୍ତୀୟ ଶୃଙ୍ଖଳା ପଥକୁ ଅନୁସରଣ କରନ୍ତି ଏହି ଋଣର ମାତ୍ରାକୁ ହିଁ କେବଳ କମ୍ କରାଯାଇ ପାରିବ ବୋଲି ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ୍ର ପରିଚାଳନା ନିର୍ଦେଶକ (ସଭରେନ୍ ରିସ୍କ ଗ୍ରୁପ୍) ଜି ଫ୍ୟାଙ୍ଗ୍ କହିଛନ୍ତି। ବିତ୍ତୀୟ ଶୃଙ୍ଖଳା ଓ ବଜେଟ ପରିଚାଳନା ଆଇନରେ ଧାର୍ୟ୍ୟ ହୋଇଥିବା ଲକ୍ଷ୍ୟକୁ ସରକାର ଅନୁସରଣ କରୁନାହାନ୍ତି। ଏହି ଆଇନ ଅନୁଯାୟୀ ଆସନ୍ତା ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୧ ପ୍ରତିଶତ ରହିବାକୁ ଥିବାବେଳେ ୨୦୧୮-୧୯ ଓ ୨୦୧୯-୨୦ ବଜେଟରେ ଏହାକୁ ୩.୪ ପ୍ରତିଶତରେ ରଖାଯିବ ବୋଲି ସ୍ଥିର କରିଛନ୍ତି। ଏଫଆରବିଏମ୍ ଆଇନ ଅନୁଯାୟୀ ସରକାରଙ୍କ ଋଣ ଓ ଜିଡିପି ଅନୁପାତ ୨୦୨୪-୨୫ ସୁଦ୍ଧା ୪୦ ପ୍ରତିଶତକୁ ହ୍ରାସ ପାଇବା କଥା।