ନୀରବ ମୋଦିଙ୍କ ୧୪୭ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କଲା ଇଡି

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ସହଯୋଗୀ କମ୍ପାନୀଙ୍କ ୧୪୭ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଥିବା ମଙ୍ଗଳବାର ପ୍ରକାଶ କରିଛି। ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂ(ପିଏମ୍‌ଏଲ୍‌ଏ) ଆଇନ, ୨୦୦୨ ଅନୁଯାୟୀ ବିଭିନ୍ନ ଧାରାରେ ଏହି ସମ୍ପତ୍ତି ଜବତ କରାଯାଇଛି ବୋଲି ଇଡି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ନୀରବଙ୍କ ମୁମ୍ବାଇ, ସୁରଟସ୍ଥିତ ଅସ୍ଥାବର ଓ ସ୍ଥାବର ସମ୍ପତ୍ତିକୁ ଜବତ କରାଯାଇଛି। ଏଥିରେ ୮ଟି କାର୍‌, ମେଶିନେରୀ, ଗହଣା, ପେଣ୍ଟିଙ୍ଗ ଆଦିକୁ ମିଶାଇ ଜବତ ସମ୍ପତ୍ତିର ମୂଲ୍ୟ ୧୪୭.୨୨ କୋଟି ଟଙ୍କା ହେବ। ସୂଚନାଥାଉ କି, ଇଡି ପକ୍ଷରୁ ନୀରବଙ୍କ ଭାରତ ଓ ବିଦେଶରେ ଥିବା ପ୍ରାୟ ୧୭୨୫.୩୬ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇସାରିଛି। ସିବିଆଇ ଦ୍ୱାରା ଦାଏର ଏତଲା ଆଧାରରେ ଇଡି ପକ୍ଷରୁ ନୀରବ ଓ ଅନ୍ୟମାନଙ୍କ ବିରୋଧରେ ପିଏମ୍‌ଏଲ୍‌ଏ ଆଇନ ଅନୁଯାୟୀ ମାମଲା ଦାଏର କରିଛି।