ନାଲକୋ ଅଫିସରଙ୍କ ଉନ୍ମତ୍ତକାଣ୍ଡ, କଏଦ ହେଲା ସିସିଟିଭି କ୍ୟାମେରାରେ

(ଜ୍ୟୋତିରଞ୍ଜନ ଧର / କଣିହାଁ): ଅନୁଗୋଳ ଜିଲ୍ଲା ନାଲକୋନଗର ଅଞ୍ଚଳରେ ନିଶାଶକ୍ତ ତିନି ନାଲକୋ ଅଫିସର ମାତାଲ ହୋଇ ଘଟାଇଛନ୍ତି ଉନ୍ମତ୍ତକାଣ୍ଡ । ଏହି ଘଟଣାରେ ପୋଲିସ ଚୁପଚାପ ବସିରହିଥିବା ଅଭିଯୋଗ ହୋଇଛି । ହୋଟେଲରେ ମଦ ପିଇ ମାତାଲ ପରେ ହୋଟେଲର ଅନ୍ୟ ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଲେ । ସୂଚନାରୁ ପ୍ରକାଶ ଯେ, ନାଲକୋ ନଗର ଥାନା ଅନ୍ତର୍ଗତ ୫୫ଜାତୀୟ ରାଜପଥ ପାର୍ଶ୍ୱ ଠାରେ ଥିବା ଭୋଜନବାର ହୋଟେଲରେ କାଣ୍ଡସର ଗ୍ରାମର ଦୁଇ ସାଙ୍ଗ ଖାଇ ବସିଥିଲେ । ଠିକ ସେତିକି ବେଳେ ନାଲକୋ କାରଖାନାର ୩ ଅଫିସର ମାତାଲ ଅବସ୍ଥାରେ ସେହି ଦୁଇ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ବଚସା ହୋଇଥିଲା । ପରେ ୩ ନାଲକୋ ଅଫିସର ସଂପୃକ୍ତ ଦୁଇ ସାଙ୍ଗଙ୍କୁ ଆକ୍ରମଣ କରିଥିଲେ । ଜଣେ ପ୍ରାଣ ବିକଳରେ ପଳାଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ହୋଟେଲରେ ଗୋଡାଇ ଗୋଡ଼ାଇ ପିଟିଥିଲେ । ଏପରିକି ପାଖରେ ପଡିଥିବା ଏକ ଲୁହା ଛଡ଼ ଓ ପଥରରେ ମଧ୍ୟ ଆକ୍ରମଣ କରିଥିଲେ ତିନି ମାତାଲ ଅଫିସର । ଉକ୍ତ ଆକ୍ରମଣ ଘଟଣା ହୋଟେଲର ସିସିଟିଭିରେ କଏଦ ହୋଇଛି । ଆକ୍ରମଣ ଶିକାର ହୋଇ ଜଣେ ଗୁରୁତର ହୋଇଛନ୍ତି। ପରେ ଘଟଣା ସ୍ଥଳରୁ କୌଶଳ କ୍ରମେ ଖସି ଯାଇ ନାଲକୋ ଥାନାର ଦ୍ଵାରସ୍ଥ ହୋଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ସୁଧା କାହାକୁ ଗିରଫ କରାଯାଇନାହିଁ।