ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଦପ୍ତରୀଙ୍କ ହୃଦଘାତରେ ମୃତ

( ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର କାର୍ୟ୍ୟରତ ଦପ୍ତରୀ ଡି.ଭେଙ୍କଟଙ୍କ ବୁଧବାର ହୃଦଘାତରେ ମୃତ୍ୟୁ ଘଟିଛି । ଆଜି ସେ କାର୍ୟ୍ୟାଳୟକୁ ଆସି ନିଜ କାର୍ୟ୍ୟ କରୁଥିବା ସମୟରେ ହଠାତ ଟଳି ପଡିଥିଲେ । କାର୍ୟ୍ୟାଳୟର କର୍ମଚାରୀମାନେ ଭେଙ୍କଟଙ୍କୁ ତୁରନ୍ତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭେଙ୍କଟଙ୍କ ମୃତ ଖବର ପାଇବା ମାତ୍ରେ ଛତ୍ରପୁର ଡାକ୍ତରଖାନାରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ ଓ ବିକ୍ରମ କୁମାର ଦୋରାଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମସ୍ତ କର୍ମଚାରୀ ଏବଂ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରୁ ଆରମ୍ଭ କରି ଛତ୍ରପୁର ଠାରେ ଥିବା ସମସ୍ତ କାର୍ୟ୍ୟାଳୟ କର୍ମଚାରୀଙ୍କ ଭିଡ ଜମିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚୟତ ସାଇଭଜେନାପଲ୍ଲୀ ଗ୍ରାମରେ ଭେଙ୍କଟଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।