ଚଳିତ ମାସରୁ ଆରମ୍ଭ ହେବ ନିର୍ଭୟାକଢି ଓ ମୋ ଗେହ୍ଲାଝିଅ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ବାଲ୍ୟବିବାହ ରୋକିବା ଓ କନ୍ୟାଭୃଣ ହତ୍ୟାକୁ ବନ୍ଦ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟକାରୀ ହେଉଥିବା ନିର୍ଭୟା କଢି ଓ ମୋ ଗେହ୍ଲାଝିଅ ଯୋଜନାର ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ସମୀକ୍ଷା ବୈଠକ ଆଜି ଓସ୍ବାନ ହଲ ଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଲ୍ୟ ବିବାହ, କନ୍ୟା ଭୃଣହତ୍ୟା, ଶିଶୁ ସୁରକ୍ଷା, ସ୍ବାସ୍ଥ୍ୟ ଓ କିଶୋର କିଶୋରୀ ମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଜନ୍ମ ସମୟରେ ପୁଅ ତୁଳନାରେ ଝିଅ ସଂଖ୍ୟା କମିକମି ଯାଉଛି, ଫଳରେ ଏହା ପରୋକ୍ଷରେ ବାଲ୍ୟ ବିବାହ ପରିସ୍ଥିତି ପାଇଁ ସୁଯୋଗ ସୃଷ୍ଟି କରୁଛି । କମ ବୟସରେ ବାହାଘର ଯୋଗୁଁ କିଶୋରୀ ଜଣକ ବିଭିନ୍ନ କ୍ଷେତ୍ରରେ ପଛୁଆ ରହୁଛି ଫଳରେ ତାର ବିକାଶ ବାଧାପ୍ରାପ୍ତ ହେଉଛି । କନ୍ୟା ଭୃଣହତ୍ୟା ମଧ୍ୟ କମ ଝିଅ ଜନ୍ମ ପାଇଁ ଦାୟୀ । ତେଣୁ ଯେଉଁ ସବୁ ସ୍ଥାନରେ ଲିଙ୍ଗ ନିରୂପଣ ହେଉଛି ସେହି ସ୍ଥାନ ଗୁଡିକରେ କଡାକଡି ନିୟମ ଲାଗୁ କରିବାପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାରେ ମଧ୍ୟ ବହୁ ସ୍ଥାନରେ ଏବେ ବି ବାଲ୍ୟ ବିବାହ ହେଉଥିବାର ଖବର ଆସୁଛି । ବୈଠକରେ କିଶୋର, କିଶୋରୀ ସଶକ୍ତି କରଣ ଓ ବାଲ୍ୟ ବିବାହ କିପରି ରୋକାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବାପାଇଁ ବିଭିନ୍ନ କାର୍ୟ୍ୟ ଖସଡା ଯଥା- ଜୁମ ମିଟିଂ ଜରିଆରେ ନିୟମିତ ଭାବରେ ବିଭାଗୀୟ ଅଧିକାରୀ ମାନେ କିଶୋର କିଶୋରୀ ମାନଙ୍କୁ ସଚେତନ କରାଇବେ । ବ୍ଲକ୍ ଶିକ୍ଷାଧିକାରୀ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏହାକୁ ଆୟୋଜନ କରିବେ । ଯେଉଁ ଅଞ୍ଚଳରେ ଅଧିକ ବାଲ୍ୟ ବିବାହ ଏବଂ କନ୍ୟା ଭୃଣ ହତ୍ୟା ହେଉଛି ସେହି ଅଞ୍ଚଳକୁ ଚିହ୍ନଟ କରି ସ୍ବତନ୍ତ୍ର ଭାବେ ସଚେତନତା କାର୍ୟ୍ୟକ୍ରମ ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । କନ୍ୟା ଭୃଣ ହତ୍ୟା ଏବଂ ବାଲ୍ୟ ବିବାହ ହେଉଥିବାର ଖବର ପାଇଲେ ତୁରନ୍ତ ବିଭାଗୀୟ ଅଧିକାରୀ ମାନେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଥିବା ଆଶ୍ରମ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ଏବଂ ଶିଶୁ ଯତ୍ନ ଅନୁଷ୍ଠାନଗୁଡିକରେ ଥିବା ପିଲାମାନଙ୍କୁ ଡାକ୍ତର ଏବଂ କାଉନସିଲର ମାନେ ସେମାନଙ୍କ ସହ ନିୟମିତ ଜୁମ ବୈଠକ କରିବାପାଇଁ ନିଷ୍ପତ୍ତି ହୋଇଥିଲା । ଏହି କାର୍ୟ୍ୟକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସମସ୍ତ ବିଭାଗର ସହଯୋଗ ଏବଂ ସମନ୍ବୟ ନିହାତି ଆବଶ୍ୟକ । ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ ଏବଂ କନ୍ୟା ଭୃଣ ହତ୍ୟା ମୁକ୍ତ ଜିଲ୍ଲା ଭାବରେ ଆମକୁ ଗଢିତୋଳିବାକୁ ପଡିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲପାଳ କିର୍ତ୍ତୀ ଭାସନ ଭି, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଭଞ୍ଜ ନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର୍ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା, ଆକ୍ସନ ଏଡ , ୟୁନିସେଫ, ଆଇ ଏସ ଆର ଡି, ଚାଇଲ୍ଡ ଲାଇନ, ଲିପିକା, ଅରୁଣା, ସେବା, ସ୍ମାଇଲ୍ ଭଳି ସ୍ବେଚ୍ଛାସେବୀ ସଂସ୍ଥା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ମିଳିତଭାବେ ପରିଚାଳନା କରିଥିଲେ।