ସାଙ୍ଗକୁ ବଞ୍ଚାଇ ନିଜେ ବୁଡିଗଲେ ଯୁବକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରେମାଳ ଡ୍ୟାମରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ଯୁବକ । ମୃତ ଯୁବକ ଜଣକ ସ୍ଥାନୀୟ ଘଷିପୁରା ଥାନା ଅନ୍ତର୍ଗତ ଢିଙ୍କିଆ ଗାଁର ସୁବ୍ରତ ସ୍ୱାଇଁ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଫଟୋ ଉଠାଇବା ପାଇଁ ସୁବ୍ରତ ୪-୫ ଜଣ ବନ୍ଧୁଙ୍କ ସହ ଡ୍ୟାମକୁ ଯାଇଥିଲେ । କିନ୍ତୁ ଫଟୋ ଉଠାଇବା ସମୟରେ ସୁବ୍ରତଙ୍କ ବନ୍ଧୁ ରୋସନଙ୍କ ପାଦ ଖସିଯାଇଥିଲା । ଫଳରେ ସେ ପାଣି ଭିତରକୁ ପଡି ଯାଇଥିଲେ । ଏହା ଦେଖି ସୁବ୍ରତ ମଧ୍ୟ ପାଣିକୁ ଡେଇଁଥିଲେ ରୋସନଙ୍କ ଜୀବନ ବଞ୍ଚାଇବା ପାଇଁ । ସାଙ୍ଗକୁତ ବଞ୍ଚାଇ ନେଲେ ସୁବ୍ରତ, କିନ୍ତୁ ନିଜେ ପାଣି ଭିତରୁ ବାହାରକୁ ବାହାରି ପାରି ନଥିଲେ । ଅନେକ ଖୋଜାଖୋଜି ପରେ ସ୍ଥାନୀୟ ଲୋକେ ସୁବ୍ରତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।