ବାତ୍ୟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସୁଛି ଆଉ ଏକ ବାତ୍ୟା ‘ଜୱାଦ’ । ଦକ୍ଷିଣ ଥାଇଲାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ୩ ତାରିଖରେ ଏହା ଅବପାତର ରୂପ ନେଇ ୪ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେଣୁ ଏହାକୁ ନେଇ ସଜାଗ ହେଉଛି ପ୍ରଶାସନ ।

ଏ ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୧ଟି ଜିଲ୍ଳା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ୟେଲୋ ଆଲର୍ଟରେ ସାମିଲ ଥିବା ୪ ଟି ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁର । ଏହି ସ୍ଥାନମାନଙ୍କରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ୪ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଆଗାମୀ ବାତ୍ୟାକୁ ନେଇ ସତର୍କତା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ତେବେ ଏହି ସମୟରେ ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳ ଗୁଡିକରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବାର ଆଶଙ୍କାକୁ ଏଡା ଯାଇନପାରେ । ଏଣୁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।