ସମ୍ବଲପୁର: ଦୋକାନୀକୁ ମହଙ୍ଗା ପଡ଼ିଛି ୩ ଟଙ୍କା । ମାସେ ମଧ୍ୟରେ ପଇସା ନ ଦେଲେ ଗଣିବେ ଉଚ୍ଚ ହାରର ସୁଧ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।
ସୂଚନା ଅନୁଯାୟୀ, ସମ୍ବଲପୁରର ଜଣେ ବ୍ୟକ୍ତି ଏପ୍ରିଲ ୨୮ ତାରିଖରେ ବୁଢାରାଜାର ଗୋୟଲ ପ୍ରିଣ୍ଟିଂ ଜୋନ ନାମକ ଏକ ଜେରକ୍ସ ଦୋକାନରେ ଏକ କାଗଜ ଜେରକ୍ସ କରିଥିଲେ । ଜେରକ୍ସ ଫି ୨ ଟଙ୍କା ଥିବାବେଳେ ବ୍ୟକ୍ତି ଜଣଙ୍କ ତାଙ୍କୁ ୫ ଟଙ୍କା ବଢାଇଥିଲେ। ହେଲେ ଦୋକାନୀ ତାଙ୍କୁ ଆଉ ୩ ଟଙ୍କା ଫେରାଇ ନ ଥିଲେ। ଟଙ୍କା ଫେରାଇବା ବଦଳରେ ଯୁକ୍ତିତର୍କ କରିଥିଲେ। ଶେଷରେ ବ୍ୟକ୍ତି ଜଣଙ୍କ ଟଙ୍କା ମାଗିବାରୁ ତାଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ୫ଟଙ୍କା ଯାକ ଫେରାଇ ଦେଇଥିଲେ ଏବଂ ତାଙ୍କୁ ଅପମାନ ଦେବା ପରି କଥା କହିଥିଲେ। ଏହାର ପ୍ରତିବାଦରେ ବ୍ୟକ୍ତି ଜଣଙ୍କ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୫ ହଜାର ଟଙ୍କା ବ୍ୟକ୍ତି ଜଣଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କା ୩୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ରହିଛି। ସମୟସୀମା ମଧ୍ୟରେ ନ ଦେଲେ ୯ ପ୍ରତିଶତ ହାରରେ ସୁଧ ଦେବାକୁ ରାୟରେ ଉଲ୍ଲେଖ ରହିଛି ।