ସୁବର୍ଣ୍ଣପୁର : ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗ୍ରାମରେ । ତେବେ ଏହି ଘଟଣାରେ ବିଶ୍ବାମିତ୍ର ଉର୍ମୀ (୩୩) ଙ୍କୁ ମୃତ୍ୟୁ ହୋଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ଗତ ୨୧ ତାରିଖ ବିଶ୍ବାମିତ୍ର ଉର୍ମୀ ଟ୍ରେନ ଯୋଗେ ଦାଦନ ଖଟିବାକୁ ତାମିଲନାଡୁ ଯାଉଥିବା ସମୟରେ ଆନ୍ଧ୍ରପ୍ରଦେଶ ତେନାଲି ରେଲ ଷ୍ଟେଶନ ନିକଟରେ କୌଣସି କାରଣରୁ ଟ୍ରେନରୁ ଖସି ପଡ଼ିଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଜିଲ୍ଲା ପ୍ରଶାସନ ସହାୟତାରେ ବିଶ୍ଵାମିତ୍ରଙ୍କ ମୃତ ଶରୀରକୁ ନିଜ ଗାଁ ବୀର ମହାରାଜ ପୁର ବ୍ଲକ ର ହିଲୁଙ୍ଗ ଗ୍ରାମ କୁ ଆଣିଥିଲେ। ଗାଁରେ ମୃତଦେହ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେ ପରିବାରରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ସ୍ତ୍ରୀ ଓ ତିନି ସନ୍ତାନ ଅଛନ୍ତି । ସଙ୍ଗେ ସଙ୍ଗେ ସୋନପୁର ଶ୍ରମ ଅଧିକାରୀ ଡିଲେଶ୍ବର ଖାଖା ପହଞ୍ଚି ସରକାରୀ ନିୟମ ଅନୁସାରେ ସମସ୍ତ ସହାୟତା ପରିବାର ବର୍ଗଙ୍କୁ ଯୋଗେଇ ଦିଆଯିବ ବୋଲି କହିଥିଲେ। ପରିବାର ଲୋକଙ୍କୁ ରେଡକ୍ରସ ଓ ହରିଶ୍ଚନ୍ଦ୍ର ଯୋଜନାରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି। ଜିଲ୍ଲାପାଳ ଅନ୍ୟା ଦାସ ମୃତକଙ୍କ ପରିବାରକୁ ସରକାରୀ ସମସ୍ତ ସହାୟତା ଦିଆଯିବ ବୋଲି କହିଛନ୍ତି । ବିଶ୍ବାମିତ୍ର ତାମିଲନାଡୁରେ ଦାଦନ ଖଟିବାକୁ ଯାଇଥିଲେ । ମଝିରେ କିଛି ଦିନ ଗାଁକୁ ଆସି ରହିବା ପରେ ପୁଣି ତାମିଲନାଡୁ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।