ମୋଦି@୭୫: ସାଧାରଣ ବ୍ୟକ୍ତିରୁ କେମିତି ହେଲେ ଅସାଧାରଣ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ସ୍ବଂୟ ସେବକରୁ ପ୍ରଧାନ ସେବକ, କୁଟନୀତିର କିଙ୍ଗ, ବିଦେଶ ନୀତିରେ ସେ ବେଷ୍ଟ। ଦେଶର ସବୁଠୁ ଲୋକପ୍ରୀୟ ନେତା…ନରେନ୍ଦ୍ର ଦାମୋଦର ଦାସ ମୋଦି, ଦେଶର ପ୍ରଧାନମନ୍ତ୍ରୀ ମୋଦି। ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ଲଗାଯିବ ୭୫ ଲକ୍ଷ ଗଛ । ସେହିପରି ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ରକ୍ତ ଦାନ ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ କରିବ ବିଜେପି ।

ତେବେ ପ୍ରଧାନମନ୍ତ୍ରୀ ମୋଦି ୧୭ ସେପ୍ଟେମ୍ବର ୧୯୫୦ ରେ ଗୁଜୁରାଟର ବଡନଗରରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଦାମୋଦର ଦାସ ମୂଲଚନ୍ଦ ମୋଦି ଏବଂ ମାତାଙ୍କ ନାମ ହିରାବେନ । ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ମୋଦି ଦ୍ୱିତୀୟ । ବାଲ ସ୍ବଂୟସେବକରୁ ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ମୋଦିଙ୍କର ଜୀବନ ଯାତ୍ରା ଥିଲା ବେଶ ରୋଚକ । ନିଜ ରାଜନୈତିକ କ୍ୟାରିୟରରେ ଲମ୍ବା ଇନିଂସ ଖେଳିଥିବା ମୋଦି ଭାରତୀୟ ରାଜନୀତିରେ ଏକାଧିକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଭଡନଗର ରେଳ ଷ୍ଟେସନରେ ତାଙ୍କ ପରିବାରର ଏକ ଚା’ ଦୋକାନ ଥିଲା । ସ୍ଥାନୀୟ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଚା’ ଷ୍ଟଲରେ କାମ ମଧ୍ୟ କରୁଥିଲେ । ପିଲାଦିନେ ବେଶ ଉତ୍ସାହୀ, ସାହାସୀ ଓ ପରିଶ୍ରମୀ ଥିଲେ ମୋଦି । ୧୯୬୮ ମସିହାରେ ସେ ଯଶୋଦାବେନଙ୍କୁ ବିବାହ କରିଥିଲେ । ମାତ୍ର ସେ କୌଣସି ଦାମ୍ପତ୍ୟ ଓ ସାଂସାରିକ ଜୀବନ ଆରମ୍ଭ କରିନାହାନ୍ତି । ଉଭୟ ଅଲଗା ହେବାପାଇଁ ନିଷ୍ପତ୍ତି ନେଇଥିଲେ । ପରେ ମୋଦି ମାତ୍ର ୧୭ ବର୍ଷ ବୟସରେ ଗୃହତ୍ୟାଗ କରିବା ସହ ଭାରତ ଭ୍ରମଣରେ ବାହାରିଥିଲେ ।

୧୯୬୭ରେ ହିମାଳୟରେ କିଛି ସମୟ ଧ୍ୟାନ କରିବା ପରେ ଭାରତର ବିଭିନ୍ନ ପ୍ରଖ୍ୟାତ ତୀର୍ଥସ୍ଥଳୀ ପରିଦର୍ଶନ କରିଥିଲେ । ଉତ୍ତରାଖଣ୍ଡର ଋଷିକେଶ, ପଶ୍ଚିମବଙ୍ଗର ରାମକ୍ରିଷ୍ଣା ମିଶନରେ ମଧ୍ୟ ସେ କିଛି ବର୍ଷ ରହିଥିଲେ । ୧୯୭୨ ରେ ସେ ପ୍ରଥମ କରି ସ୍ବଂୟସେବକ ସଂଘ (ଆରଏସଏସ) ରେ ଯୋଗଦାନ କଲେ । ଜଣେ ବାଳ ସ୍ବଂୟସେବକ ଭାବେ ସଂଘରେ ଜୀବନ ଆରମ୍ଭ କରିଥିବା ମୋଦି ପରବର୍ତ୍ତୀ ସମୟରେ ଆଜୀବନ ପ୍ରଚାରକ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ୧୯୮୦ ମସିହା ବେଳକୁ ସେ ସଂଘର ‘ସଂଭାଗ ପ୍ରଚାରକ’ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୧୯୮୭ ରେ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଗୁଜୁରାଟ ଶାଖାର ସଂଗଠନ ସମ୍ପାଦକ ଭାବେ ଦାୟିତ୍ବ ମିଳିଥିଲା । ସେହିବର୍ଷ ବିଜେପି ଅମହମ୍ମଦାବାଦ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ ମୋଦିଙ୍କ ସାଙ୍ଗଠନିକ ଦକ୍ଷତା ସାମ୍ନାକୁ ଆସିଥିଲା । ସେହିବର୍ଷ ନ୍ୟାୟ ଯାତ୍ରା ଓ ଲୋକଶକ୍ତି ଯାତ୍ରାରେ ମୋଦି ତାଙ୍କର ସାଙ୍ଗଠନିକ କୁଶଳତା ମଧ୍ୟ ଦେଖାଇଥିଲେ । ୧୯୯୫ ରେ ମୋଦି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ଗୁଜୁରାଟ ରାଜନୀତିରେ ମୋଦିଙ୍କ ପ୍ରଭାବ ବଢିବାରେ ଲାଗିଥିଲା । ୨୦୦୧ରେ ପ୍ରଥମ ଥର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କୌଣସି ନିର୍ବାଚନ ନଲଢି ମୋଦି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଉପନିର୍ବାଚନରେ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ । ୨୦୦୨ରେ ମୋଦିଙ୍କ ନେତୃତ୍ବରେ ବିଜେପି ଗୁଜୁରାଟରେ ପୁଣି କ୍ଷମତା ହାସଲ କରିଥିଲା ।୨୦୦୭ ରେ ମଧ୍ୟ ମୋଦି ତୃତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୪ ପର୍ଯ୍ୟନ୍ତ ସେ ପ୍ରାୟ ୧୪ ବର୍ଷ ଅର୍ଥାତ ୩ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିବା ପରେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୪ ରେ ସେ ପ୍ରଥମ ଥର ଲୋକସଭା ନିର୍ବାଚନରେ ବାରାଣସୀରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ଏହାପରେ ୨୦୧୫ରୁ ଏଯାଏଁ ସେ ଭାରତର ପ୍ରଧାନମନ୍ତ୍ରୀ ଭାବେ ନିଜର କର୍ତ୍ତବ୍ୟ ସୁଚାରୁ ରୂପରେ ଚଳାଇ ଆସିଛନ୍ତି ଏବଂ ପୁରା ବିଶ୍ଵର ପ୍ରିୟ ହୋଇପାରିଛନ୍ତି ।