କାର୍ଯ୍ୟ କରିବାର କ୍ଷମତାକୁ ବଢାଇଥାଏ ଶୀତର କଅଁଳ ଖରା

(ରିପୋର୍ଟସ ଟୁଡ଼େ): ଅଧିକାଂଶ ଲୋକ ସକାଳେ ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ କଅଁଳ ଖରାରେ ବସିଥା’ନ୍ତି। ଏହା ଖୁବ୍‌ ଆରାମ୍‌ଦାୟକ ମଧ୍ୟ। ତେବେ ଏହି ଶୀତଦିନିଆ କଅଁଳ ଖରାରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ଶରୀରର ଅନେକ ସମସ୍ୟା ଦୂର କରିଥାଏ। ଆପଣ ଯଦି ଶୀତିଦିନ ସକାଳେ ୨୦ ମିନିଟ୍‌ ଏହି କଅଁଳ ଖରାରେ ବସନ୍ତି, ତେବେ ଶରୀର ପାଇଁ ଏହା ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।
ଏବେ ଆସନ୍ତୁ ଜାଣିବା, ଶୀତଦିନ କଅଁଳ ଖରାରେ ବସିବା ଦ୍ୱାରା ଶରୀରର କ’ଣ ସବୁ ଉପକାର ହୋଇଥାଏ
କାର୍ୟ୍ୟ କରିବାର କ୍ଷମତା ବଢ଼େ: ଶୀତଦିନ ସକାଳେ ଅଧିକ ଥଣ୍ଡା ଯୋଗୁ କିଛି କାମ କରିବାକୁ ଇଚ୍ଛା ହୋଇ ନ ଥାଏ। ଏଭଳି ପରିସ୍ଥିତିରେ ସକାଳର କଅଁଳ ଖରାରେ ବସିବା ଦ୍ୱାରା ଅଳସୁଆପଣ ଦୂର ହୋଇ ଶରୀରରେ ଫୂର୍ତ୍ତି ଅନୁଭବ ହୋଇଥାଏ ଏବଂ ଆରାମ୍‌ ମଧ୍ୟ ଲାଗିଥାଏ।
ଭିଟାମିନ୍ ଡି’ ମିଳେ: ଶୀତଦିନିଆ ସକାଳର କଅଁଳ ଖରାରୁ ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ୍‌ ଡି’ ମିଳିଥାଏ । ଏହାଦ୍ୱାରା ଶରୀରରେ ହାଡ଼ର ବିକାଶ ଠିକ୍‌ ହୁଏ ଏବଂ ଏହା ମଜବୁତ୍‌ ମଧ୍ୟ ହୋଇଥାଏ। ଏହାର ପ୍ରଭାବରେ ଆଣ୍ଠୁ ଗଣ୍ଠିରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।
ଫଙ୍ଗଲ୍‌ ଇନ୍‌ଫେକ୍‌ସନ୍‌ରୁ ମୁକ୍ତି ମିଳେ: ଶରୀରରେ ହେଉଥିବା ଫଙ୍ଗଲ୍‌ ଇନ୍‌ଫେକ୍‌ସନ୍‌ରୁ ମୁକ୍ତି ପାଇଁ ଶୀତଦିନେ ସକାଳର କଅଁଳ ଖରାରେ ବସିବା ଖୁବ୍‌ ଲାଭଦାୟକ। ଏହା ଦ୍ୱାରା ଶୀତ ଋତୁରେ ହେଉଥିବା ବିଭିନ୍ନ ସଂକ୍ରମଣରୁ ମଧ୍ୟ ସୁରକ୍ଷା ମିଳିଥାଏ।
ରକ୍ତ ସଞ୍ଚାଳନ ତ୍ୱରାନ୍ୱିତ ହୁଏ: ଶୀତଦିନ ସକାଳେ କଅଁଳ ଖରାରେ ବସିବା ଦ୍ୱାରା ଶରୀରରେ ରକ୍ତ ଜମାଟ୍‌ ହେବା ପ୍ରକ୍ରିୟା ଦୁର୍ବଳ ହେବା ସହ ରକ୍ତ ସଞ୍ଚାଳନ ତ୍ୱରାନ୍ୱିତ ହୋଇଥାଏ। ଡାଇବେଟିସ୍‌ ଓ ହୃଦ୍‌ରୋଗୀମାନଙ୍କ ପାଇଁ ଏହି ଶୀତଦିନିଆ କଅଁଳ ଖରା ଖୁବ୍‌ ଲାଭଦାୟକ।