ବ୍ୟୁରୋ : ଟେଲିଗ୍ରାମ ସିଇଓଙ୍କ ହାତରେ ପଡିଲା ହାତକଡ଼ି । ଅଚାନକ ବିମାନ ବନ୍ଦରରୁ ମେସେଜିଂ ଆପ୍ ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ବାନ୍ଧିନେଲା ପୋଲିସ । ଫ୍ରାନ୍ସର ରାଜଧାନୀ ପ୍ୟାରିସର ବୋର୍ଜେଟ ବିମାନ ବନ୍ଦରରୁ ସେ ଗିରଫ ହୋଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ବିଲେନିୟର ପାଭେଲ ଡୁରୋଭ ନିଜ ପ୍ରାଇଭେଟ ଜେଟ ଜରିଆରେ ଆଜେରବାଇଯାନକୁ ଯିବାକୁ ପ୍ରସ୍ତୁତ ହେଉଥିବା ସମୟ ରେ ଶନିବାର ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।
ପୂର୍ବରୁ ପାଭେଲଙ୍କ ନାଁରେ ଫ୍ରାନ୍ସରେ ଗିରଫ ୱାରେଣ୍ଟ ଜାରି ହୋଇଥିଲା । ଟେଲିଗ୍ରାମ ଦ୍ୱାରା ଅପରାଧିକ ଗତିବିଧି ଚଳାଉଥିବା ଅଭିଯୋଗ ହେବା ସହ ଡୁରୋଭଙ୍କ ମେସେଜିଂ ଆପ୍ ଟେଲିଗ୍ରାମରେ ମୋଡରେଟର ଅଭାବ ରହିଛି। ତେଣୁ ଆପ୍ ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି।
ଅନ୍ୟପକ୍ଷେ ଏ ବାବଦରେ ଟେଲିଗ୍ରାମ ଏଯାବତ ଚୁପ ବସିଛି । ଫରାସୀ ଏଜେନ୍ସି ଓଏଫଏମ୍ଆଇଏନ ଦେଶରେ ନାବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ। ଠକେଇ, ଡ୍ରଗ୍ସ ଚୋରା ଚାଲାଣ, ସାଇବର ଅପରାଧ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଏଜେନ୍ସି ଡୁରୋଭଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା। ଏହା ମଧ୍ୟ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ପାଭେଲ ତାଙ୍କ ସୋସିଆଲ ନେଟୱର୍କିଙ୍ଗ ପ୍ଲାଟଫର୍ମ ଟେଲିଗ୍ରାମରେ ଅପରାଧିକ ବ୍ୟବହାରକୁ ରୋକିବାରେ ବିଫଳ ହୋଇଛନ୍ତି । ତେଣୁ ସେ ଗିରଫ ହୋଇଛନ୍ତି ।