ସାବିତ୍ରୀ କହୁଛି ମୋ ସତ୍ୟବାନଙ୍କୁ ବଞ୍ଚାଇ ଦିଅ: ସାହାଯ୍ୟ ପାଇଁ ସରକାର ଓ ଓଡ଼ିଶାବାସୀଙ୍କୁ ନିବେଦନ

କଟକ: ଆଜି ସାବିତ୍ରୀ ବ୍ରତ । ଇହକାଳ ପରକାଳର ଦେବତା ନିଜ ସ୍ୱାମୀର ମଙ୍ଗଳ ମନାସି ବ୍ରତ ରଖୁଛନ୍ତି ସଧବା ନାରୀ । କିନ୍ତୁ ଏହି ବ୍ରତରେ ଆଖିରୁ ଲୁହ ଶୁଖୁନି ଜଣେ ସାବିତ୍ରୀଙ୍କର, ନିଜ ଶଙ୍ଖା ସିନ୍ଦୁରକୁ ବଞ୍ଚାଇବା ପାଇଁ ସେ କରୁଛି ଆକୁଳ ନିବେଦନ। କାରଣ ତାଙ୍କ ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ଦରକାର ଲକ୍ଷାଧିକ ଟଙ୍କା ।ତାଙ୍କ ଫୁସଫୁସ ପ୍ରତ୍ୟାରୋପଣ ପାଇଁ ଆବଶ୍ୟକ ବିପୁଳ ଅର୍ଥ। ଯେଉଁଥିପାଇଁ ସହଯୋଗ କରିବାକୁ ସେ ସରକାର ଓ ଓଡ଼ିଶା ବାସୀଙ୍କୁ ନିବେଦନ କରିଛନ୍ତି  ।

କଟକ ଫିରିଙ୍ଗ ବଜ଼ାର ଅଞ୍ଚଳର ବାସିନ୍ଦା ରଜନୀକାନ୍ତ ମହାନ୍ତି । ବୟସ ମାତ୍ର ୪୦ ବର୍ଷ, ତାଙ୍କ ପରିବାରକୁ ଧରି ସେ କଟକ ସହରରେ ଭଡା ଘରେ ବାସ କରୁଛନ୍ତି । ପେସାରେ ସେ ଜଣେ ଲୁଗା ଦୋକାନରେ ସେଲସ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ରଜନୀକାନ୍ତଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ସନ୍ତୋଷୀ ମହାନ୍ତି ଏବଂ ଏକମାତ୍ର ଝିଅ ସୁସ୍ମିତା ମହାନ୍ତି ଯାହାର ବୟସ ମାତ୍ର 6ବର୍ଷ । ଆଜକୁ ପ୍ରାୟ 4ବର୍ଷ ହେବ ସେ ଫୁସଫୁସ ସଂକ୍ରମଣ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ଦୁର୍ଭାଗ୍ୟବସତ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କର ଦୁଇଟିଯାକ ଫୁସଫୁସ ନଷ୍ଟ ହୋଇଯାଇଛି ଏବଂ ଯଥାଶୀଘ୍ର ଫୁସଫୁସ ପ୍ରତିରୋପଣ କରିବାକୁ ପଡିବ। ଏହାପରେ ପରିବାର ଉପରେ ମାଡ଼ି ଆସିଥିଲା ଦୁଃଖର କଳା ବାଦଲ, ଏହି ପ୍ରତିରୋପଣ ବ୍ୟବସ୍ଥା ଓଡ଼ିଶାର କୌଣସି ଡାକ୍ତରଖାନାରେ ଉପଲବ୍ଧ ହେଉ ନଥିବାରୁ ବାଧ୍ୟହୋଇ ସେ ହାଇଦ୍ରାବାଦର କିମ୍ସ ଡାକ୍ତରଖାନାରେ ଚିକିଶ୍ଚିତ ହେଉଥିଲେ । କିନ୍ତୁ ଟଙ୍କା ଅଭାବରୁ ସେ ଚିକିତ୍ସା ଅଧାରୁ ଛାଡ଼ି ତାଙ୍କୁ ଅଧାରୁ ଫେରିବାକୁ ପଡ଼ିଛି ।

ସେଠିକାର ଡାକ୍ତରଙ୍କ କହିବା ଅନୁଯାଇ ଫୁସଫୁସ ପ୍ରତିରୋପଣ କରାଯାଇ ତାଙ୍କ ଜୀବନ ବଞ୍ଚାଯାଇପାରିବ, କିନ୍ତୁ ଏଥିପାଇଁ ଏକକୋଟିରୁ ଦେଢକୋଟି ଟଙ୍କାର ଆବଶ୍ୟକତା ରହିଛି l କିନ୍ତୁ ଆଉ ହାତରେ ମାତ୍ର ଏକମାସରୁ ଦେଢମାସର ସମୟ । ବର୍ତମାନ ପରିସ୍ଥିତିରେ ରଜନୀକାନ୍ତଙ୍କ ପକ୍ଷେ ଏତେ ଗୁଡ଼ାଏ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ଏବଂ ତାଙ୍କ ପାଖରେ ଯାହା କିଛି ଗଛିତ ଧନ ଥିଲା, ସେ ସବୁ ଖର୍ଚ୍ଚ ହୋଇସାରିଛି । ରଜନୀକାନ୍ତଙ୍କ ମେଡିକାଲ ଓ ଘରଖର୍ଚ୍ଚ ତାଙ୍କ ଶ୍ୱଶୁର ଭିକାରି ବେହେରା ଗୁପଚୁପ ବେପାର କରି ତୁଲାଉଛନ୍ତି। ରଜନୀକାନ୍ତ ଶଯ୍ୟାଶାୟୀ ଅବସ୍ଥାରେ ଅମ୍ଳଜାନ ଦ୍ୱାରା ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଅନ୍ୟପକ୍ଷେ ନିଜର ମଥାର ସିନ୍ଦୁରକୁ ବଞ୍ଚାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ସମେତ ସମଗ୍ର ଓଡିଶାବାସୀଙ୍କୁ ଗଣମାଧ୍ୟମ ଆଗରେ ସାହାଯ୍ୟ ଭିକ୍ଷା କରିଛନ୍ତି ରଜନୀକାନ୍ତଙ୍କ ସ୍ତ୍ରୀ ସନ୍ତୋସି ମହାନ୍ତି।

ସେହିଭଳି ପାଖ ପଡିଶା ମାନେ ମଧ୍ୟ ରଜନୀକାନ୍ତଙ୍କ ସହାୟତା କରିବା ନିମନ୍ତେ  ଆଗେଇ ଆସିଥିବା ବେଳେ ତାଙ୍କର ସାହାଯ୍ୟ ବର୍ତ୍ତମାନ ସମୁଦ୍ରକୁ ସଂଖେ। ତେଣୁ ସମଗ୍ର ଓଡିଶା ବାସୀଙ୍କୁ ସହଯୋଗ କରିବା ନିମନ୍ତେ ମଧ୍ୟ ନିବେଦନ କରିଛନ୍ତି ପାଖ ପଡୋଶୀ। ଅନ୍ୟପଟେ ଭେଷଜ ବିଭାଗର ବରିଷ୍ଠ ଚିକିତ୍ସକ ନିରଞ୍ଜନ ତ୍ରିପାଠୀ ମଧ୍ୟ ରଜନୀକାନ୍ତ ଙ୍କ ଚିକିତ୍ସା ପାଇଁ ପାଖାପାଖି ଦେଢ଼ରୁ ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇପାରିବ ବୋଲି କହିଛନ୍ତି।