ଭିକେ ପାଣ୍ଡିଆନଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଘଟଣା
କାହିଁକି ଚୁପ୍ ବସିଛି ରାଜ୍ୟ ଆଇଏଏସ୍ ସଂଘ ?
ଆଇପିଏସ୍ ସଂଘ ମୁହଁରେ ମଧ୍ୟ ତାଲା
ଓଏଏସ୍ ସଂଘ ମଧ୍ୟ ଦେଇ ନାହିଁ ପ୍ରତିକ୍ରିୟା
ଥରେ ନୁହେଁ ଦୁଇ ଦୁଇ ଥର ଘଟିଲାଣି ଘଟଣା
ଡରି ଗଲେ କି ଡିଓପିଟିକୁ, ନା ଆଉ କିଛି ?
ଭୁବନେଶ୍ୱର: ଚଳିତ ମାସ ୪ ତାରିଖ । ସ୍ଥାନ ସୋନପୁରର ଖୋମାଲଏ । ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ କୋଟ ସମଲାଇ ସ୍ଥିତ ପାତାଳୀ ଶ୍ରୀ କ୍ଷେତ୍ର ପରିଦର୍ଶନ ସାରି ତୁଲୁଣ୍ଡାରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଯାଉଥିଲେ । ଏହି ସମୟରେ ତାଙ୍କ କାରକେଡ୍ ଉପରକୁ ହୋଇଥିଲା ଅଣ୍ଡାମାଡ଼ । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ଆପ୍ କର୍ମୀମାନେ ଏଭଳି କାଣ୍ଡ ଘଟାଇଥିଲ ।
ଏହାର ଠିକ୍ ଦିନକ ପରେ ଫାଇଭ –ଟି ସଚିବ କରିଥିଲେ ବୌଦ୍ଧ ଗସ୍ତ । ସେଠାରେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଜିଲ୍ଲା ଷ୍ଟାଡିୟମରେ ଅନୁଷ୍ଠିତ ଏକ ମହିଳା ସମାବେଶରୁ ବାହାରି ଅଳତି ଘାଟକୁ ଯିବା ସମୟରେ ତାଙ୍କ କାର ଉପରକୁ ହୋଇଥିଲା ଅଣ୍ଡା ମାଡ଼ ।
ଦୁଇ ଦିନରେ ଦୁଇଟି ଘଟଣା ଘଟିବା ପରେ ଏବେ ଏହାକୁ ନେଇ ସାରା ରାଜ୍ୟରେ ଗୋଟିଏ ଚର୍ଚା । କାହିଁକି ଏଯାଏ ପାଟି ଖୋଲି ନାହିଁ ରାଜ୍ୟ ଆଇଏଏସ ସଂଘ । ଖାଲି ଆଇଏଏସ୍ ସଂଘ କାହିଁକି, ଆଇପିଏସ୍ ସଂଘ , ଓଏଏସ୍ ସଂଘ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ । ଜଣେ ଆଇଏଏସ୍ ଅଫିସରଙ୍କ କାରକେଡ଼ ଓ କାର ଉପରକୁ ଏଭଳି ଅଣ୍ଡା ମାଡ଼ ହେବା ସାରା ରାଜ୍ୟରେ ପ୍ରଥମ । ତାହା ପୁଣି ଥରେ ନୁହେଁ, ଦୁଇ ଦୁଇ ଥର ଓ ଲଗାତାର ଦୁଇ ଦିନ । ତେବେ କାହିଁକି ଚୁପ୍ ବସିଛି ସଂଘ ।
-ଡରି ଯାଉଛନ୍ତି କି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଡିଓପିଟି ନିକଟରେ ଅଭିଯୋଗକୁ ?
-ନା ମୁହଁ ନ ଖୋଲିବା ପଛରେ ଆଉ କିଛି ରହିଛି ଭିତିରି କାରଣ ।
-ଯାହାକୁ ନେଇ ଏବେ ସଚିବାଳୟଠାରୁ ଆରମ୍ଭ କରି ସବୁଆଡେ ଏହି ଗୋଟିଏ ଚର୍ଚା ।
– ସଂଘ ମୁହଁ ନ ଖୋଲିବା ପରେ ଚର୍ଚା ଏବେ ଅନ୍ୟ ଦିଗକୁ କଲାଣି ଇସାରା
୨୦୧୮ ମସିହାର ଫେବ୍ରୁଆରି ମାସ ୧୦ ତାରିଖ । ସମାନ ଘଟଣା ଘଟିଥିଲା ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନଙ୍କ କ୍ଷେତ୍ରରେ । ବିଜେପି ପକ୍ଷରୁ ଭୁବନେଶ୍ୱରରେ ଥିବା ତାଙ୍କ ସରକାରୀ କ୍ୱାର୍ଟରକୁ ଭଙ୍ଗାରୁଜା କରାଯାଇଥିଲା । କାଳ ବିଳମ୍ବ ନ କରି ଆଇଏଏସ୍ ସଂଘ ସଭାପତି ବିଶାଲ ଦେବ, ଆଇପିଏସ୍ ସଂଘ ସଭାପତି ଅରୁଣ ବୋଥ୍ରା, ଓଏଏସ୍ ସଂଘ ସଭାପତି ଜ୍ୟୋତି ରଂଜନ ମିଶ୍ର ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆଉ ଏହା ପରେ କମିସନରେଟ ପୁଲିସ ଆସି ଯାଇଥିଲା ଆକ୍ସନ ମୁଡ଼କୁ । ବିଜେପି କର୍ମୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଗିରଫ କରିଥିଲା । ସେତେବେଳେ କେହି ଜଣେ ବି ପାତାଳ ତଳେ ଲୁଚି ପାରି ନ ଥିଲେ ।
ଆଉ ଏବେ ଫାଇଭ୍ ଟି ସଚିବଙ୍କ କାର ଉପରକୁ ଅଣ୍ଡାମାଡ଼ ହେବା ପରେ ତିନୋଟି ସଂଘ ପକ୍ଷରୁ ପଦୁଟିଏ କୁହା ନ ଯିବା ଏକ ଭିନ୍ନ ଚର୍ଚା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ବାବୁଙ୍କୁ ପଠାଇବା କହିବା ପରେ ମଧ୍ୟ ଆଇଏଏସ୍ ସଂଘ ମୁହଁ ନ ଖୋଲିବା ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ।