ବ୍ୟୁରୋ ରିପୋର୍ଟ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ ସମଗ୍ର ଭାରତବର୍ଷର ଏକ ସମୃଦ୍ଧ ଉତ୍ସବ। ଆଜିର ଦିନ ହେଉଛି ଭାଇ ଭଉଣୀଙ୍କ ପାଇଁ ଦିନଟିଏ ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ। ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି। ଖଣ୍ଡିଏ ସୂତାରେ ଯୋଡ଼ି ହୋଇଯାଏ ଜୀବନ ସାରାର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ। ଏହା ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ନିଆରା ପବିତ୍ର, ଅତୁଟ ଏବଂ ସୁରକ୍ଷିତ।ପ୍ରତ୍ୟେକ ସୁଖ ଦୁଃଖରେ ଉଭୟ ଭାଇ ଭଉଣୀ ସାଥିରେ ଥାନ୍ତି ।
ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଉଥିବା ଏହି ପର୍ବ ନା କେବଳ ଭାଇ ଭଉଣୀ ଭଲ ପାଇବାର ପ୍ରତୀକ ଏହା ସହ ପରିବାରକୁ ଯୋଡି ରଖିବାର ଏକ ବହୁତ ଭଲ ମାଧ୍ୟମ ଅଟେ । ପୁରାତନ କାଳରୁ ପାଳନ ହୋଇଆସୁଥିବା ଏହି ପର୍ବର ପଛରେ ମଧ୍ୟ କିଛି ତାତ୍ପର୍ଯ୍ୟ ରହିଛି ।ତେବେ ରକ୍ଷା ବନ୍ଧନକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି। ତନ୍ମଧ୍ୟରେ ଅସୁର ସମ୍ରାଟ ବଳିଙ୍କ ସହ ମା’ ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣ ସହ ଦ୍ରୌପଦୀଙ୍କ କାହାଣୀ ବେଶ୍ ଲୋକପ୍ରିୟ। ଅସୁର ସମ୍ରାଟ ବଳି, ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ।ଦୈତ୍ୟଙ୍କ ରାଜା ବଳି ଯେତେବେଳେ ୧୧୦ ଯଜ୍ଞ ପୁରଣ କରିଥିଲେ ଯାହା ପାଇଁ ଦେବତା ମାନଙ୍କର ଡର ବଢ଼ିଯାଇଥିଲା ଯେ ରାଜା ବଳି ତାଙ୍କ ଶକ୍ତି ଦ୍ୱାରା ସ୍ୱର୍ଗ ଲୋକରେ ନିଜର ଆଧିପତ୍ୟ ବିସ୍ତାର ନକରିଦିଅନନ୍ତୁ ଯାହାର ସମାଧାନ ପାଇଁ ଦେବତାମାନେ ବିଷ୍ଣୁଙ୍କ ପାଖକୁ ଗଲେ । ଯାହାପରେ ଭଗବାନ ବିଷ୍ଣୁ ବାମନ ଅବତାର ନେଲେ । ଏବଂ ବଳିଙ୍କୁ ଭିକ୍ଷା ମାଗିଥିଲେ । ଭିକ୍ଷାରେ ସେ ପ୍ରଥମ ପାଦରେ ସ୍ୱର୍ଗ ଅନ୍ୟଟିରେ ପୃଥିବୀ ଏବଂ ତୃତୀୟରେ ପାଦ ଯେତେବେବେ ବଢ଼ାଇଥିଲେ ସେତେବେଳେ ବଳି ନିଜ ମସ୍ତକ ବାମନଦେବଙ୍ମ ଚରଣରେ ରଖିଦେଲେ ଏବଂ ରସାତଳକୁ ଚାଲିଯାଇଥିଲେ । ଏହାପରେ ବଳି ତାଙ୍କ ଭକ୍ତି ଦ୍ୱାରା ଭଗବାନଙ୍କୁ ସବୁବେଳେ ତାଙ୍କ ସାମନାରେ ରହିବାକୁ ବଚନ ମାଗିଲେ ଯାହାପରେ ତାଙ୍କୁ ବଳିଙ୍କ ଦ୍ୱାରପାଳ ହେବାକୁ ପଡିଥିଲା । ଯାହାପରେ ଚିନ୍ତିତ ମହାଲକ୍ଷ୍ମୀ ବାମନରୂପୀ ଶ୍ରୀବିଷ୍ଣୁଙ୍କୁ ମୁକ୍ତ କରିବା ପାଇଁ ବଳି ରାଜାଙ୍କ ପୁରକୁ ଯାଇ ବଳିଙ୍କ ହାତରେ ରାକ୍ଷୀବନ୍ଧନ କରି ସ୍ବାମୀଙ୍କୁ ଉଦ୍ଧାର କଲେ। ସେହିଭଳି ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ହେଲା କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ି ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ଶ୍ରୀକୃଷ୍ଣଙ୍କ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ ।
ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ, ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ବଳରାମ ଏହି ଦିନ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ପାଳନ କରାଯାଏ। ହଳମୁଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋ-ମାତାଙ୍କୁ ପୂଜା କରାଯାଏ। ସକାଳୁ ଗୋ-ମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ପରେ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଏହା ସହ ଘରେ ଘରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ପରମ୍ପରା ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହାକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ। ଭଉଣୀମାନେ ରଙ୍ଗବେରଙ୍ଗର ରାକ୍ଷୀ ଭାଇମାନଙ୍କର ହାତରେ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କୁ ସବୁବେଳେ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଉପହାର ପ୍ରଦାନ କରିଥାଏ। ଏହି ପର୍ବକୁ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ବଡ଼ ଉଦାହରଣ ଭାବେ ବିବେଚନା କରାଯାଉଛି ।
ମହାପ୍ରଭୁଙ୍କ ମାନବୀୟ ଲୀଳାକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ବିଶେଷ ପରମ୍ପରା ରହିଛି। ଭଗବାନ ମଧ୍ୟ ପାରିବାରିକ ସଂପର୍କର ଡୋରିରେ ବନ୍ଧା। ଭଉଣୀ ହାତରୁ ରାକ୍ଷୀ ପିନ୍ଧନ୍ତି ଲୀଳାମୟ ଠାକୁର । ସାନଭଉଣୀ ସୁଭଦ୍ରା ‘ପାଟରାକ୍ଷୀ’ ବଡ଼ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇ ଦିଅନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ, ପାଟରା ବିଶୋଇ ସେବାୟତ ଅତି ଶ୍ରଦ୍ଧା, ଭକ୍ତିର ସହ ରାକ୍ଷୀ ପ୍ରସ୍ତୁତ କରି ଶ୍ରୀମନ୍ଦିରରେ ପ୍ରଦାନ କରିଥାନ୍ତି। ଏହି ଅବସରରେ ଶ୍ରୀଜୀଉମାନେ ରାକ୍ଷୀ ଗୁଆର ମାଳ ମଧ୍ୟ ପରିଧାନ କରିଥାନ୍ତି। ୫୪ଟି ଲେଖାଏଁ ଗୁଆରେ ଏହି ଗୁଆ ମାଳ ନାଲି, ସବୁଜ, ହଳଦିଆ ଓ ନୀଳ ରଙ୍ଗର ହୋଇଥାଏ। ଶ୍ରୀକ୍ଷେତ୍ରରେ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ ଝୁଲଣ ପୂର୍ଣ୍ଣିମା ଭାବେ ଜଣାଯାଏ। ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ପରଦିନ ପର୍ୟ୍ୟନ୍ତ ସାତଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି। ରାଧା କୃଷ୍ଣଙ୍କୁ ଝୁଲଣରେ ସଜ୍ଜାଯାଇ ଦୋଳି ଖେଳା ଯାଇଥାଏ।