ଭୁବନେଶ୍ବର : କିଏ ହେବ ଓଡ଼ିଶାର ବିତ୍ତଶାଳୀ ଓ କ୍ଷମତାଶାଳୀଙ୍କ ଭୁବନେଶ୍ବର କ୍ଲବର ନୂଆ ସଭାପତି ? ଏ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ନିର୍ବାଚନରେ ମୁହାଁମୁହିଁ ହେଉଛନ୍ତି ଅବସରପ୍ରାପ୍ତ ଟପ ବ୍ୟୁରୋକ୍ରାଟ ଅସିତ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦ । ଆସନ୍ତା 24 ତାରିଖରେ ଏହି ପ୍ରିମିୟମ କ୍ଳବର ସୁପ୍ରିମୋ କିଏ ସେବ ସେ ନେଇ ନିର୍ବାଚନ ହେବ ।ପୁଣି ଥରେ ରାଜଧାନୀ ଭୁବନେଶ୍ବର ଦେଖିବ ସମ୍ଭ୍ରାନ୍ତଙ୍କ କ୍ଳବର ମହାଲଢ଼େଇ । ରାଜ୍ୟର ସବୁଠୁ ନାମୀ ଓ ଦାମୀ କ୍ଲବର ନୂଆ ସଭାପତି ବଛା ହେବେ । ଆସନ୍ତା 24 ତାରିଖରେ ହେବ ହାଇପ୍ରୋଫାଇଲ ଭୁବନେଶ୍ବର କ୍ଲବର ଭୋଟ । ଏବେକାର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଓ ବର୍ତ୍ତମାନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପୁଣି ଥରେ ନିର୍ବାଚନକୁ ଓହ୍ଲାଇଛନ୍ତି । ତାଙ୍କୁ ପ୍ରତିଦ୍ବନ୍ଦିତା କରିବେ ପୂର୍ବତନ ଉନ୍ନୟନ କମିଶନର ତଥା ଓଇଆରସି ଅଧ୍ୟକ୍ଷ ସତ୍ୟପ୍ରକାଶ ନନ୍ଦ । ଏଥର ଅସିତଙ୍କ ପ୍ୟାନେଲ ସହ ସତ୍ୟପ୍ରକାଶଙ୍କ ଟିମ ମୁହାଁମୁହିଁ ହେବ । ଅସିତଙ୍କ ଟିମର ସ୍ଲୋଗାନ୍ ରହିଛି, କ୍ଳବର ଟ୍ରାନ୍ସଫର୍ମମେସନ ବା ରୂପାନ୍ତରଣକୁ ଜାରି ରଖିବା ।
ଅସିତ କ୍ଲବର ସଭାପତି ଦାୟିତ୍ଵ ନେବା ପରେ କ୍ଳବର ଚେହେରା ବଦଳିଛି । କ୍ଲବର ଭିତ୍ତିଭୂମିକୁ ନୂଆ ରୂପ ଦିଆଯାଇଛି । ଏହି ରୂପାନ୍ତରଣ ଜାରି ରହିବ ବୋଲି ନାରା ଦେଇ ଅସିତଙ୍କ ଟିମ ଭୋଟ ମାଗୁଛି । ସେପଟେ ସତ୍ୟପ୍ରକାଶ ଟିମର ନାରା ଅଛି, ଆସ କ୍ଲବକୁ ବଞ୍ଚାଇବା । ପରିବର୍ତ୍ତନ ପାଇଁ ଭୋଟ୍ ଦିଅନ୍ତୁ, କ୍ଲବ ଗୌରବ ଅକ୍ଷୁର୍ଣ୍ଣ ରହୁ ବୋଲି କହି ସେମାନେ ସମର୍ଥନ ମାଗୁଛନ୍ତି । ଅସିତଙ୍କ ଟିମରେ ଉପସଭାପତି ପଦ ପାଇଁ ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାୟ ଓ ଯୁଗ୍ମ ସଚିବ ପଦ ପାଇଁ ଅଶୋକ କୁମାର ମିଶ୍ର ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ଟିମ ବିପକ୍ଷରେ ଉପସଭାପତି ପ୍ରାର୍ଥୀ ହୋଇଛନ୍ତି ତାପେସ ରାୟ, ସମ୍ପାଦକ ପ୍ରାର୍ଥୀ ହୋଇଛନ୍ତି ମାନସ ରଞ୍ଜନ ଦାସ । ଯୁଗ୍ମ ସଚିବ ପାଇଁ ନିର୍ବାଚନ ଲଢ଼ୁଛନ୍ତି ଜ୍ୟୋତିର୍ମୟ ମହାନ୍ତି ।
ଗତ ବର୍ଷ ସେପ୍ଟେମ୍ବର ମାସରେ ହୋଇଥିବା ନିର୍ବାଚନରେ ଓଡ଼ିଶାର ବିତ୍ତଶାଳୀ ଓ କ୍ଷମତାଶାଳୀର ସଭାପତି ହୋଇଥିଲେ ଅସିତ ତ୍ରିପାଠୀ । ଅନ୍ୟ ଜଣେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକକୁ 278 ଖଣ୍ଡ ଭୋଟରେ ପରାସ୍ତ କରି ଏହି ପ୍ରିମିୟମ କ୍ଳବର ସୁପ୍ରିମ ହୋଇଥିଲେ ଅସିତ । ମୋଟ 1254 ଭୋଟ ମଧ୍ୟରୁ ଅସିତଙ୍କୁ 776 ଖଣ୍ଡ ଭୋଟ ମିଳିଥିବାବେଳେ ବିଜୟଙ୍କୁ ମିଳିଛି 498 ।
ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଭୁବନେଶ୍ବର କ୍ଳବର ସଭାପତି ପଦବୀ ଖାଲି ପଡିଥିଲା ।1949ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ବର କ୍ଲବ । 1950ରେ କ୍ଳବର ପ୍ରଥମ ସଭାପତି ହୋଇଥିଲେ ତତ୍କାଳୀନ ଖଲିକୋଟର ରାଜା । ସେହିଦିନଠାରୁ ବିଭିନ୍ନ ରାଜ ପରିବାରର ମୁଖ୍ୟଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହି ପଦରେ ରହିଆସିଥିଲେ । କିନ୍ତୁ 1964ରେ ଶେଷ ଥର ପାଇଁ ବିଜୁ ପଟ୍ଟନାୟକଙ୍କ ପରେ ଏହି ପଦକୁ ଦଖଲରେ ନେଇଥିଲେ ଆଇଏଏସ ଅଫିସର । ସେବେଠାରୁ ଏହି କ୍ଳବ ଆଇଏଏସଙ୍କ କବଜାରେ ରହିଛି । ଏହା ଆଇଏଏସ କ୍ଲବ ଭାବେ ପରିଚିତ ଥିଲା । କିନ୍ତୁ କିଛି ବର୍ଷ ପୂର୍ବେ ଏହାର ନାଁ ଭୁବନେଶ୍ବର କ୍ଲବ ହୋଇଛି ।