ଓଆରଏସ ଲାଗି ନୂଆ ନିୟମ ;WHO ଅନୁମୋଦନ ବିନା ଓଆରଏସ ଲେବଲ୍‌ ମନା

ନୂଆଦିଲ୍ଲୀ: WHO ଅନୁମୋଦନ ବିନା ORS ଲେବଲ୍‌ ବ୍ୟବହାର କରାଯାଇ ପାରିବନି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ FSSAIର ନିର୍ଦ୍ଦେଶ । ୨୦୨୨ ଜୁଲାଇ ୧୪, ଓ ୨୦୨୪ ଫେବୃଆରୀ ୨ ପୂର୍ବ ଆଦେଶ ବାତିଲ । ବ୍ରାଣ୍ଡ ନାମରେ ORSକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡ଼ିବା ଅନୁମତି ବାତିଲ୍‌ । ଯଦି ORS ଭୁଲ ଭାବେ ବ୍ୟବହୃତ ହୁଏ, ତେବେ ଏହା ବିପଦ ସୃଷ୍ଟି କରିପାରେ । ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ ଓ ନିୟମାବଳୀ କଡ଼ା ଅନୁସରଣ ନିର୍ଦ୍ଦେଶ ।

ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ପ୍ରସ୍ତୁତ ଫର୍ମୂଲା ଅନୁସାରେ ଯଦି ତାହା ପ୍ରସ୍ତୁତ ହୋଇ ନଥାଏ ତେବେ ଓଆରଏସ ଶବ୍ଦ ବ୍ୟବହାର କରାଯାଇ ପାରିବ ନାହିଁ କୁହାଯାଇଛି । ୟୁନିସେଫ ଅନୁସାରେ ଓଆରଏସ ହେଉଛି ଚିନି ଓ ଲୁଣର ଏକ ମିଶ୍ରଣ ଯାହାକୁ ପରିଷ୍କାର ପାଣିରେ ମିଶାଇ ପାନ କରାଯାଇଥାଏ । ଡିହାଇଡ୍ରେସନର ଚିକିତ୍ସା ଲାଗି ଏହା ବ୍ୟବହୃତ ହୋଇଥାଏ। ବିଶେଷ କରି ପିଲାଙ୍କ କ୍ଷେତ୍ରରେ ଏହା ବିଶେଷ ଜରୁରୀ ହୋଇଥାଏ। ପୂର୍ବରୁ ୨୦୨୨ ଜୁଲାଇ ୧୪ ଓ ୨୦୨୪ ଫେବ୍ରୁଆରୀ ୨ରେ କେନ୍ଦ୍ର ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ରାଣ୍ଡ ନେମ୍ କ୍ଷେତ୍ରରେ ଓଆରଏସ ଶବ୍ଦ ପୂର୍ବରୁ ବା ପରେ ଓଆରଏସ ବ୍ୟବହାର ହୋଇପାରିବ ବୋଲି କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଫଳଭିତ୍ତିକ ଓଆରଏସ, ନନକାବ୍ରୋନେଟେଡ ଡ୍ରିଙ୍କସ ଓ ରେଡି-ଟୁ-ଡ୍ରିଙ୍କ ପାନୀୟରେ ଓଆରଏସ ଶବ୍ଦ ବ୍ଯବହୃତ ହୋଇଆସୁଥିଲା। ମାତ୍ର ବର୍ତ୍ତମାନ ତାହା ବାତିଲ ହୋଇଛି।

ତେବେ ଏପରି କରିବା ଦ୍ବାରା ଗ୍ରାହକ ମାନେ ଭ୍ରମିତ ହେବା ସହ ଏହା FSSAI ଆଇନ, ୨୦୦୬ର ଧାରା ୨୩ ଏବଂ ୨୪ର ଉଲ୍ଲଂଘନ ବୋଲି ବିବେଚନା କରାଯାଏ। ଯଦି କେହି ଏହାକୁ ନ ମାନନ୍ତି ତେବେ ଉଲ୍ଲଂଘନ ଧାରା ୫୨ ଏବଂ ୫୩ ଅନୁଯାୟୀ  ସେମାନଙ୍କୁ ଦଣ୍ଡ ହୋଇପାରେ ବୋଲି କୁହାଯାଇଛି। ଏଥିସହିତ ଲେବଲିଂ ଏବଂ ବିଜ୍ଞାପନ ସହିତ ଜଡିତ ସମସ୍ତ ନିୟମ ପାଳନ କରିବାକୁ ପଡିବ ବୋଲି fssai ତରଫରୁ ନିର୍ଦ୍ଦେଶ ଦିଆଯାଇଛି।