ଭୁବନେଶ୍ୱର: ବ୍ରାହ୍ମଣ ପୁଅ ମାଙ୍ଗଡ ମାରିଲେ ଦୋଷ ନାହିଁ । ରାଜ୍ୟରେ କୋଭିଡ ନିୟମ ପାଳନ କ୍ଷେତ୍ରରେ ହେଉଥିବା ପାତରଅନ୍ତରକୁ ନେଇ ଏହି ଉକ୍ତିଟି ବିଲକୁଲ ଫିଟ ବସୁଛି । ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀ ଜନ୍ମଦିନ ପାଳନ ବେଳେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ କାର୍ଯ୍ୟାଳୟ ସିଲ କରିଛି ବିଏମସି । ଗୁରୁବାର ଜନ୍ମଦିନ ପାଳନ ହୋଇଥିବା ବେଳେ ଶନିବାର ନିଆଯାଇଛି କାର୍ଯ୍ୟାନୁଷ୍ଠାନ । କିନ୍ତୁ ସ୍ୱର୍ଗଦ୍ୱାରରେ ବିଜେଡିର ଦିବଙ୍ଗତ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟ ିକ୍ରିୟା ସମୟରେ ହୋଇଥିବା ଗହଳିକୁ କାହିଁ ପ୍ରଶାସନ ଦେଖି ପାରିଲା ନାହିଁ? କାହିଁ ୬ ଦିନ ପରେ ମଧ୍ୟ ପ୍ରଶାସନ ନେଇନାହିଁ କାର୍ଯ୍ୟାନୁଷ୍ଠା? କଣ ସତ୍ୟବାଦୀ ବିଧାୟକଙ୍କୁ କ୍ଷମା ପ୍ରାର୍ଥନା ପାଇଁ ଦେବାକୁ ଥିଲା ସମୟ?
ପ୍ରଦୀପ ମହାରଥୀଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ରବିବାର । ସୋସିଆଲ ମିଡିଆରେ ଛାୟି ରହିଥିଲା ସ୍ୱର୍ଗଦ୍ୱାରର ଛବି । ବିଜେଡି କର୍ମୀଙ୍କଠାରୁ ନେତା ମନ୍ତ୍ରୀ ସମସ୍ତଙ୍କ ଭିଡ । ସେଠାରେ ମଧ୍ୟ ନ ଥିଲା ସାମାଜିକ ଦୂରତ୍ୱ । ଅନେକଙ୍କ ମୁହଁରେ ମାସ୍କ ନ ଥିବା ବେଳେ ଅନେକଙ୍କ ବେକରେ ଆଇନକୁ ଆଖିଠାର ମାରୁଥିଲା ମାସ୍କ । କିନ୍ତୁ ସେ ଲାଗି ପୁରୀ ଜିଲ୍ଲାପାଳ ନେଇ ନ ଥିଲେ କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ୫ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ଓ ବଜରଙ୍ଗି ଦଳ କଲେ ଅଭିଯୋଗ । ଅଭିଯୋଗ ହେବାକୁ ୪ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇ ନାହିଁ । ଓଲଟା ସାଂସଦଙ୍କ କାର୍ଯ୍ୟାଳୟ ସିଲ କରିବାକୁ ଥିଲା ବୋଲି ସ୍ୱତପ୍ରବୃତ୍ତ ହେଉ ବା ଚାପରେ ବିଧାୟକ ଉମା ସାମନ୍ତରାୟ ଭିଡିଓ ଜରିଆରେ କରିଦେଲେ କ୍ଷମାପ୍ରାର୍ଥନା । ସେତିକିରେ ସବୁ ଶେଷ । କ୍ଷମା ପ୍ରାର୍ଥନାରେ ଖେଳ କରି ଦେଲା ବିଜେଡି । ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । କଣ ଏହା ତାଙ୍କ ସ୍ୱଚ୍ଛ ଶାସନ? ବିରୋଧୀ ପାଇଁ ନିୟମ ଗୋଟିଏ ଓ ନିଜ କର୍ମକର୍ତ୍ତାଙ୍କ ପାଇଁ ଗୋଟିଏ?
ସାଂସଦଙ୍କ ଜନ୍ମଦିନ ପାଳନ ଗୁରୁବାର ରାତିରେ ହୋଇଥିବା ବେଳେ ଶନିବାର ହେଲା କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ କଲେ ଅଭିଯୋଗ । ଅବଶ୍ୟ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନିତାନ୍ତ ଆବଶ୍ୟକ । ଆମେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରୁଛୁ । କିନ୍ତୁ ଏହି ତତ୍ପରତା, କାର୍ଯ୍ୟାନୁଷ୍ଠାନ କାହିଁ ହୋଇ ନ ଥିଲା ସ୍ୱର୍ଗଦ୍ୱାର କ୍ଷେତ୍ରରେ ? କଣ ସେଥିରେ ବିଜେଡିର ନେତା ମନ୍ତ୍ରୀମାନେ ସାମିଲ ଥିଲେ? କଣ ପ୍ରଶାସନ ବନ୍ଧାପଡିଛି ଶାସକ ଦଳ ନିକଟରେ?
ଅନ୍ତେଷ୍ଟି କ୍ରିୟାରେ ୨୦ରୁ ଅଧିକ ଲୋକଙ୍କ ସମାଗମ ଉପରେ ସରକାର ଲଗାଇଛନ୍ତି ପ୍ରତିବନ୍ଧକ । ଏହି କୋଭିଡ କାଳରେ ରାଜ୍ୟ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ହରାଇଛି । ଅନେକ କରୋନାରେ ପ୍ରାଣ ହରାଇଛନ୍ତି ତ ଅନେକ ଅନ୍ୟ ରୋଗରେ । କରୋନା ଆକ୍ରାନ୍ତଙ୍କୁ ପରିବାର ବର୍ଗଙ୍କୁ ମଧ୍ୟ ହସ୍ତାନ୍ତର କରାଯାଇନି ସଂକ୍ରମଣ ଭୟରେ ଓ ଅନ୍ୟ ମୃତକଙ୍କୁ ମାତ୍ର ହାତ ଗଣତି କିଛି ପରିବାର ସଦସ୍ୟ ନେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । କିନ୍ତୁ ମହାରଥୀଙ୍କ କ୍ଷେତ୍ରରେ ନିୟମରେ କାହିଁ ଏତେ ବଡ ବ୍ୟତିକ୍ରମ? କାହିଁ ଶହ ଶହ ସଂଖ୍ୟାର ଭିଡ ଥିଲା ସ୍ୱର୍ଗ ଦ୍ୱାରରେ? କାହିଁ କୋଭିଡ ନିୟମର ପାଳନ କରି ନ ଥିଲେ ନିୟମ ପ୍ରଣୟନକାରୀ? ବିଜେଡି ସତ୍ୟାବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପଜିଟି ଥିବା ବେଳେ ଅନ୍ତିମ ଯାତ୍ରା ତଥା ଅନ୍ତେଷ୍ଟି କ୍ରିୟାରେ ହୋଇଥିଲେ ସାମିଲ । କର୍ମକର୍ତ୍ତାଙ୍କ ଭିଡରେ ଥିଲେ । ଜଣେ ପଜିଟିଭ କଣ ଶାସକ ଦଳର ନେତା ହେଲେ କରୋନା ଭୟରେ ଅନ୍ୟମାନଙ୍କୁ ସଂକ୍ରମିତ ନ କରି ଦୁର୍ବଳ ହୋଇଯିବ? କାହିଁ ତାଙ୍କ ବିରୋଧରେ ତଥା ବିଜେଡି କର୍ମକର୍ତ୍ତାଙ୍କ ବିରୋଧରେ ହେଲା ନାହିଁ କାର୍ଯ୍ୟାନୁଷ୍ଠା? ସମାନ କାର୍ଯ୍ୟରେ ଭିନ୍ନ ପଦକ୍ଷେପକୁ ନେଇ ସରକାରର ସ୍ୱଚ୍ଛତା ଉପରେ ଉଠୁଛି ପ୍ରଶ୍ନବାଚୀ ।