ଏମିତି ଚିଠି ଲେଖି କୁଆଡେ ଚାଲିଯାଇଛି ପୁଅ

ମୋ ପ୍ରିୟ ମମି,
        ମୋତେ କ୍ଷମା କରିଦେବୁ । ମୁଁ ନିଜକୁ ରୋକିପାରିଲି ନାହିଁ । ମୋତେ ୧୦ମ ପାସ୍ ହେବି ବୋଲି ଆଶା ନାହିଁ ମୋ ନିଜ ଉପରେ । ଆଉ ଏସ-୧ରେ ଭଲ ମାର୍କ ରଖିଲେ ହିଁ ବୋର୍ଡ ପରୀକ୍ଷା ଦେବି । ନହେଲେ ଫେଲ ହୋଇଯିବି । ତେଣୁ ମୁଁ ଘର ଛାଡି ବହୁତ ଦୂରକୁ ଚାଲିଯାଉଛି । ଏତିକି କି ମୁଁ କେବେ ଆସିବିକି ନାହିଁ ଜଣା ନାହିଁ । ମାତ୍ର ମୁଁ କଥା ଦେଉଛି, ତୋ ରାଣ ଖାଇ କହୁଛି ମୁଁ ତତେ ନିଶ୍ଚୟ ଗୋଟିଏ ଭଲ ମଣିଷ ଓ ବଡ଼ ଲୋକ ହେଲେ ଆସିବି ।
                                                                                                                                                         ||ଇତି||
                                                                                                                                                    ତୋରି ପ୍ରିୟ ପୁଅ
                                                                                                                                                        ‘ନାରାୟଣ’

ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ପୋୖରାଞ୍ଚଳସ୍ଥିତ ୧୮ ନଂ ୱାର୍ଡର କାଳୁଆ ସାହି ବାସିନ୍ଦା ରଞ୍ଜନ ପାଣିଗ୍ରାହୀଙ୍କ ପୁଅ ନାରାୟଣ ପାଣିଗ୍ରାହୀ (୧୫) ବୁଧବାର ପୂର୍ବାହ୍ନରୁ ନିଖୋଜ ଥିବା ଘଟଣାକୁ ୬୦ଘଣ୍ଟା ବିତିଛି । ପରିବାର ଲୋକେ ଚିନ୍ତାରେ ଦିନ କାଳାତିପାତ କରୁଥିବା ବେଳେ ନାରାୟଣଙ୍କ ହାତଲେଖା ଚିଠି ସମସ୍ତଙ୍କ ମନରେ ସନ୍ଦେହ ଭରି ଦେଉଛି | ସୂଚନା ପ୍ରକାରେ , ନାରାୟଣ ପୂର୍ବାହ୍ନରେ ବିଦ୍ୟାଳୟ ଯିବାକୁ କହି ଘରୁ ବାହାରିଥିଲା ; କିନ୍ତୁ ବିଦ୍ୟାଳୟକୁ ନଯାଇ ଖାତା ନେବା ବାହାନାରେ ପୁଣି ଘରକୁ ଚାଲି ଆସିଥିଲା । ତାଙ୍କ ମା’ ଶିକ୍ଷୟିତ୍ରୀ ଥିବା ବେଳେ ସେ ସ୍କୁଲକୁ ଚାଲିଯାଇଥିଲେ ।

ଏହି ସମୟରେ ନାରାୟଣ ଅନ୍ୟତ୍ର ପୋଷାକ ପିନ୍ଧି ବାହାରିଥିବା ଅନୁମାନ କରାଯାଉଛି ।ତେବେ ସେ କେଉଁଆଡ଼େ ଯିବେ ଚିଠିରେ ସେସବୁର କିଛି ସୂଚନା ନଥିଲେ ବି ପାଠପଢ଼ାକୁ ନେଇ ଚାପରେ ଥିବା ଉଲ୍ଲେଖ ରହିଛି ।ସେପଟେ ପାଠପଢ଼ା ଚାପକୁ ପରିବାରବର୍ଗ ଓ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଶାନ୍ତ,ସରଳ ସହ ବିଦ୍ୟାଳୟର ପ୍ରଥମ ଧାଡ଼ିରେ ବସୁଥିବା ନାରାୟଣ କିଭଳି ଏ ନିଷ୍ପତ୍ତି ନେଲା ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ୟାନ୍ବିତ କରିଛି ।ସବୁଆଡୁ ଖୋଜି ନିରାଶ ହେବା ପରେ ମା’ ରେଣୁକା ପାଣିଗ୍ରାହୀ ପୁଅ ନିଖୋଜ ଥିବା ନେଇ ହିଂଜିଳି ଥାନାରେ ଏତଲା ଦେଇଛନ୍ତି । ଏ ନେଇ ଥାନାରେ କେଶ ନଂ ୫୭୩/୨୨ ରେ ଏକ ମାମଲା ରୁଜୁ ହେବା ସହ ସବୁଦିଗକୁ ନେଇ ତଦନ୍ତ ଚାଲିଥିବା ହିଂଜିଳି ଥାନାଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।