ସରକାର ଆଣିଲେ ନୂଆ ନିୟମ, ଏଣିକି ବିନା ସିମରେ ଚାଲିବନି ହ୍ବାଟସଆପ୍

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଣିଛନ୍ତି ନୂଆ ନିୟମ । ଏଣିକି ବିନା ସିମରେ ଚାଲିବନି ହ୍ବାଟସଆପ୍ । ଖାଲି ହ୍ବାଟସଆପ୍ ନୁହେଁ ବରଂ ଟେଲିଗ୍ରାମ ଓ ସ୍ନାପଚାଟ ଭଳି ମେସେଜିଂ ଆପ୍ ବିନା ସିମରେ ଚାଲିବନି । ଆସନ୍ତା ୯୦ ଦିନ ମଧ୍ୟରେ ସବୁ ମେସେଜିଂ ଆପ୍ ରେ ଲାଗୁ ହେବ ସିମ୍ ବାଇଡିଂ ନିୟମ । ଏହି ନୂଆ ନିୟମ ଲାଗୁ ହେଲେ ହ୍ବାଟସଆପ,ଟେଲିଗ୍ରାମ, ସିଗନାଲ, ସ୍ନାପଚାଟ, ସେୟାର ଚାଟ, ଜିଓ ଚାଟ, ଅରଟଇ ଏବଂ ଜୋସ୍ ଭଳି ଲୋକପ୍ରିୟ ମେସେଜିଂ ଆପ୍ ବିନା ସିମ କାର୍ଡରେ କାର୍ଯ୍ୟ କରିବନି । ସରକାର ଏହି ସବୁ ଆପ ଗୁଡିକୁ ଟେଲିକମ୍ୟୁନିକେସନ ଆଡେଣ୍ଟିଫାୟର ୟୁଜର ଏନଟାଇଟି ଶ୍ରେଣୀରେ ରଖିଛନ୍ତି ।

କୌଣସି କାରଣରୁ ସିମ୍ ମୋବାଇଲରୁ କାଢିଲେ, ବଦଳାଇଲେ କିମ୍ବା ଡିଆକ୍ଟିଭେଟେଡ୍ ହେଲେ ବନ୍ଦ ହୋଇଯିବ ହ୍ବାଟସଆପ୍ । ଭାରତରେ ହ୍ବାଟସଆପର ପ୍ରାୟ ୫୦ କୋଟି ଉପଭୋକ୍ତା ଅଛନ୍ତି । ନୂଆ ନିୟମ ଲାଗୁ ପରେ ଆରମ୍ଭରୁ ଯଦିଓ ଗ୍ରାହକଙ୍କୁ ଟିକେ ସମସ୍ୟା ହୋଇପାରେ ମାତ୍ର, ଏହା ଆପ୍ଲିକେସନକୁ ଅଧିକ ସୁରକ୍ଷିତ କରିବ । ଅନ୍ୟପଟେ ୱେବ ବ୍ରାଉଜରରେ ଆପ୍ ଲଗଇନ କଲେ ୬ ଘଣ୍ଟା ମଧ୍ୟରେ ଅଟୋ ଲଗ୍ ଆଉଟ୍ ହୋଇଯିବ ଆପ୍ । ପୁଣିଥରେ ଲଗ୍ ଇନ କରିବାକୁ କ୍ୟୁଆର କୋଡ୍ ସ୍କାନ କରିବାକୁ ପଡ଼ିବ । ପୂର୍ବରୁ ଥରେ ଲଗଇନ ହୋଇଗଲେ ସିମ୍ ନଥିଲେ ବି କାମ କରୁଥିଲା ଆପ୍ଲିକେସନ । ତେବେ ଏହା ଦ୍ବାରା ଅନଲାଇନ ଠକେଇକୁ ଅନେକାଂଶରେ ରୋକାଯାଇପାରିବ ବୋଲି ସାଇବର ଏକ୍ସପର୍ଟ କହିଛନ୍ତି । ଏଥିସହ ଅନଲାଇନ ଠକଙ୍କୁ ସହଜରେ ଟ୍ରେସ୍ କରିହେବ । ତେବେ ଏହି ନୂଆ ନିୟମ କିଛି ଉପଭୋକ୍ତଙ୍କ ପାଇଁ ସମସ୍ୟା ବି ସୃଷ୍ଟି କରିପାରେ । ବିଶେଷକରି ୨ଟି ଡିଭାଇସରେ ଏକକାଳୀନ ମେସେଜିଂ ଆପ୍ ଚଳାଉଥିବା ଉପଭୋକ୍ତଙ୍କୁ ସମସ୍ୟା ହୋଇପାରେ ।