ଆଜି ପବିତ୍ର ନୂଆଁଖାଇ, ଚଳଚଞ୍ଚଳ ପୁରପଲ୍ଲୀ

ସମ୍ବଲପୁର: ଆଜି ପବିତ୍ର ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସି ନୂଆଁ ଅନ୍ନ ସହ ଭଳି ଭଳିକା ଖାଦ୍ୟ ଖାଇବେ ସମସ୍ତେ । ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ପାଖରେ ଓ ବଲାଙ୍ଗିରର ମା’ପାଟଣେଶ୍ୱରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ । ସମ୍ବଲପୁରରେ ମା’ସମଲେଇଙ୍କଠାରେ ଆଜି ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ ସ୍ଥିର ହୋଇଛି । ଏହି ସମୟରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି କରିବା ପରେ ନବାନ୍ନ ଭକ୍ଷଣ କରିବେ ।

ଫଲସା, କୁରେଇ ଓ ରେଙ୍ଗାଳ ଗଛ ପତ୍ରରେ ନବାନ୍ନ ଲାଗିର ପରମ୍ପରା ରହିଛି । ମା ସମଲେଶ୍ବରୀଙ୍କ ନିକଟରେ ନୂଆଲାଗି ହେବା ପରେ ସମଲେଶ୍ବରୀ ମାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ନୂଆ ଖାଇବା ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥିଲା । ନୂଆଖାଇ ପାଇଁ ଘରେ ଲିପା ପୋଛା ସାଂଗକୁ ରଙ୍ଗ ଲଗାଯାଇଛି। ପୂରା ପରିବାର ପାଇଁ ନୂଆ ଡ୍ରେସ କିଣାଯାଇଛି।  ନୂଆ ଖାଇ ପର୍ବ ପାଇଁ ଦୂର ଦୂରାନ୍ତରେ ଥିବା ପଶ୍ଚିମ ଓଡ଼ିଶା ବାସୀ ଘରକୁ ଫେରିଛନ୍ତି । ପ୍ରତି ଗାଁ ଗଣ୍ଡା ବନ୍ଧୁବାନ୍ଧବରେ ଭର୍ତ୍ତି ହୋଇଛି  ।  ସମସ୍ତେ ମିଶି  ଏକାଠି ନୂଆ ଖାଇବା ପରେ ଆରମ୍ଭ ହେବ ଭେଟଘାଟ କାର୍ଯ୍ୟକ୍ରମ। ଘରର ବଡ ମାନଙ୍କୁ ଜୁହାର କରି ମୁଣ୍ଡିଆ ମାରି ଆଶୀର୍ବାଦ ନେବେ ସମସ୍ତେ ।

ତେବେ କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଆ ସମଲେଇଙ୍କ ଠାରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।