ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀରେ ବଢିଚାଲିଥିବା କରୋନା ସଂକ୍ରମଣକୁ ନେଇ ସେଠାରେ ଲାଗିବ ସପ୍ତାହାନ୍ତ କର୍ଫ୍ୟୁ । ଶନିବାର ଓ ରବିବାର ସବୁ ବନ୍ଦ ରହିବ । ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି ରହିବ । ତେବେ ଜରୁରୀକାଳୀନ ସେବା ପୂର୍ବବତ୍ କାର୍ଯ୍ୟକ୍ଷମ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରେସମିଟ କରି ସୂଚନା ଦେଇଛନ୍ତି ।
ଗତ୨୪ ଘଣ୍ଟାରେ ୧୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ କରୋନା ସଂକ୍ରମଣ ସୀମା ଲଙ୍ଘଛି । ଏହି ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାକୁ ସପ୍ତାହାନ୍ତ କର୍ଫ୍ୟୁ ଜାରି କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛି । ଏହି ସମୟରେ ମଲ, ଜିମ, ସ୍ପା, ବଜାରଘାଟ, ହଲ ସବୁ ବନ୍ଦ ରହିବ । ତେବେ ଔଷଧ, ଗ୍ରସରୀ, କ୍ଷୀର, ଆମ୍ବୁଲାନ୍ସ ସେବା ପରି ଜରୁରୀ ସେବା ଅବ୍ୟାହତ ରହିବ ।
କେଜରିୱାଲ ଆହୁରି କହିଛନ୍ତି ଯେ, ସପ୍ତାହରେ ୫ ଦିନ କାମ କରି ୨ ଦିନ ଘରେ ରୁହନ୍ତୁ । ଯଦି କାହାକୁ ହସ୍ପିଟାଲ, ବିମାନବନ୍ଦର, ଷ୍ଟେସନ୍ ଯିବାକୁ ହୁଏ ସେମାନେ ଟିକେଟ୍ ଦେଖାଇ ଛାଡ ପାଇପାରିବେ । ଏହାସହ ଏଥିପାଇଁ ପାସ୍ ମଧ୍ୟ ଆବଶ୍ୟକ ।