(ଭୁବନେଶ୍ୱର) : ରାଜ୍ୟରେ ଚଳିତ ଜୁନ୍ରେ ଏବେ ସୁଦ୍ଧା ୩୭% ନିଅଣ୍ଟିଆ ରହିଛି ବର୍ଷା । ଜନଜୀବନ ଗରମ ଅସ୍ତବ୍ୟସ୍ତ କରୁଛି । ପାଣିପାଗ ପୂର୍ବାନୁମାନ ଯାହା, ଏବେ ଭଲ ବର୍ଷା ସମ୍ଭାବନା କମ୍ । ଚଳିତ ଜୁନରେ ନିଅଣ୍ଟିଆ ବର୍ଷା ଭରଣା ହେବା ଆଶା କ୍ଷୀଣ । ଅନ୍ତତଃ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଲା ଭଳି ବର୍ଷା ସମ୍ଭାବନା କମ୍ । ଜୁଲାଇ ୪ରୁ ବର୍ଷା ପ୍ରକୋପ ବଢ଼ିପାରେ ।
ପାଣିପାଗ ପୂର୍ବାନୁମାନ ଥିଲା, ଜୁନ୍ ଶେଷବେଳକୁ ଲଘୁଚାପ ଆସିପାରେ । ମାତ୍ର ଏବେ ସେମିତି ସମ୍ଭାବନା କମ୍ । ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେବ । ୩ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ସମ୍ଭାବନା ନାହିଁ । ବର୍ଷା ଅଭାବ ସ୍ଥିତି ଜାରି ରହିବ । ୩ ତାରିଖବେଳକୁ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୪ କିମ୍ବା ୫ ତାରିଖବେଳକୁ ତାହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଏହି ଲଘୁଚାପ ହେଲେ ରାଜ୍ୟରେ ୪ରୁ ବର୍ଷା ବଢ଼ିବ । ୬ ତାରିଖ ପର୍ଯ୍ୟନ୍ତ ବର୍ଷା କରାଇବ । ମାତ୍ର ସେତେ ଲଗାଣ ବର୍ଷା ସମ୍ଭାବନା ନାହିଁ । ଲଘୁଚାପ ହେଲେ ମୌସୁମୀ ବର୍ଷା ବଢ଼ିପାରେ ।
ଏହାବାଦ୍ ଖୋର୍ଦ୍ଧାରେ ୫୭%, ଜଗତସିଂହପୁରରେ ୫୬%, ଭଦ୍ରକରେ ୫୪%, ଗଜପତିରେ ୫୪%, ବଲାଙ୍ଗିରରେ ୫୨%, କୋରାପୁଟରେ ୫୦%, ନବରଙ୍ଗପୁରରେ ୪୮%, ଦେବଗଡ଼ରେ ୪୬%, ଝାରସୁଗୁଡ଼ାରେ ୪୨%, ସମ୍ବଲପୁରରେ ୪୧% ବର୍ଷା ଅଭାବ ରହିଛି ଚଳିତ ମାସରେ । ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ୨୪%ରୁ ୩୮% ପର୍ଯ୍ୟନ୍ତ ବର୍ଷା କମ୍ ହୋଇଛି ।