ରାଜଧାନୀରେ ହ୍ରାସ ପାଇବ ତାପମାତ୍ରା , କୋରାପୁଟରେ ସର୍ବାଧିକ ୭୬ ମିଲିମିଟର ବର୍ଷା
ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଆହୁରି କମିବ ।
(ଭୁବନେଶ୍ୱର) : ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଆହୁରି କମିବ । ଭୁବନେଶ୍ୱର ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ କମିବ। ତେବେ ଜୁନ୍ରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବ ବୋଲି ଆଗରୁ ଆକଳନ କରାଯାଇଛି ।
ଶୁକ୍ରବାର କୋରାପୁଟ, କନ୍ଧମାଳ, ନୂଆପଡ଼ା, ନୟାଗଡ଼, ଭୁବନେଶ୍ୱର ଓ କଟକରେ ଭଲ ବର୍ଷା ହୋଇଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ସର୍ବାଧିକ ୭୬ ମିଲିମିଟର ବର୍ଷା ହୋଇଛି । କନ୍ଧମାଳ ଜି.ଉଦୟଗିରିରେ ୬୫.୪ ମିଲିମିଟର, ନୂଆପଡ଼ା ଖରିଆରରେ ୫୦.୬, ଫୁଲବାଣୀରେ ୪୧.୨, ଟିକାବାଲିରେ ୩୭, ନୟାଗଡ଼ରେ ୨୯, ଚକାପାଦରେ ୨୨.୨ ଓ ପଟାଙ୍ଗୀରେ ୨୧.୨ମିଲିମିଟର ବର୍ଷା ହୋଇଛି । ଭୁବନେଶ୍ୱରରେ ମଧ୍ୟାହ୍ନରେ ଭଲ ବର୍ଷା ହୋଇଛି । କଟକରେ ୧୩.୨ ମିଲିମିଟର, ଚାନ୍ଦବାଲିରେ ୯.୭, ଝାରସୁଗୁଡ଼ାରେ ୮.୮, ରାୟଗଡ଼ାରେ ୩, ବୌଦ୍ଧରେ ୨ମିଲିମିଟର ବର୍ଷା ହୋଇଛି । ବାଲେଶ୍ୱର ଓ ସମ୍ବଲପୁରରେ ମଧ୍ୟ ହାଲୁକା ବର୍ଷା ହୋଇଛି ।
ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗର ବୈଜ୍ଞାନିକ ଡ. ଉମାଶଙ୍କର ଦାଶ କହିଛନ୍ତି, ଶନିବାର ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ବର୍ଷା ହେବା ପରେ ମୌସୁମୀ ବାୟୁର ଅଗ୍ରଗତି ଜଣାପଡି଼ବ । ଆଗାମୀ ୨ରୁ ୩ ଦିନ ଭିତରେ ରାଜ୍ୟର ଆଉ କିଛି ସ୍ଥାନକୁ ମୌସୁମୀ ଛୁଇଁପାରେ ।