ମୁମ୍ବାଇ: ଦୀର୍ଘଦିନ ଧରି ଚାଲୁଥିବା ଅନୁମାନ ଓ ଚର୍ଚ୍ଚାରେ ଅବଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଦମ୍ପତ୍ତି Rashmika Mandanna ଓ Vijay Deverakonda ନିଜେ ସେମାନଙ୍କ ବିବାହ ଖବରକୁ ନିଶ୍ଚିତ କରିଛନ୍ତି। ରଶ୍ମିକା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନୂଆ ଜୀବନ ଆରମ୍ଭ କରୁଥିବା ଖବର ସେୟାର କରି ଫ୍ୟାନ୍ସମାନଙ୍କ ଦୀର୍ଘ ଅପେକ୍ଷାର ଅନ୍ତ କରିଦେଇଛନ୍ତି। ସବୁଠାରୁ ଆକର୍ଷଣୀୟ କଥା ହେଉଛି, ସେମାନେ ନିଜ ବିବାହକୁ ‘Virosh’ ନାମ ଦେଇଛନ୍ତି। ଦୀର୍ଘଦିନ ଧରି ଫ୍ୟାନ୍ସମାନେ ଏହି ଯୁଗଳଙ୍କୁ ଏହି ନାମରେ ଡାକୁଥିବାରୁ, ସେମାନଙ୍କ ଭଲପାଇବାକୁ ସମ୍ମାନ ଦେଇ ବିବାହର ଟାଇଟଲ୍ ମଧ୍ୟ ସେହିଭଳି ରଖାଯାଇଛି। ରଶ୍ମିକା ଲେଖିଛନ୍ତି ଯେ, ଫ୍ୟାନ୍ସମାନଙ୍କ ଭଲପାଇବା ଓ ସମର୍ଥନ ସେମାନଙ୍କ ପାଇଁ ବିଶେଷ।

ସୂଚନା ଅନୁସାରେ, ଫେବୃଆରୀ ୨୬ ତାରିଖରେ ରାଜସ୍ଥାନର ସୁନ୍ଦର ସହର Udaipur ରେ ନିକଟତମ ଆତ୍ମୀୟ ଓ ବନ୍ଧୁମାନଙ୍କ ସମ୍ମୁଖରେ ଗୋପନୀୟ ଭାବେ ବିବାହ ଅନୁଷ୍ଠିତ ହେବ। ଏହାପରେ ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦର Taj Krishna ରେ ଏକ ବଡ଼ ରିସେପ୍ସନ ପାର୍ଟି ଆୟୋଜନ କରାଯିବ। ବିବାହ ଅନୁଷ୍ଠାନରେ ଗୋପନୀୟତାକୁ ଗୁରୁତ୍ୱ ଦିଆଯାଇଥିବାରୁ ଅତିଥିମାନଙ୍କୁ ମୋବାଇଲ୍ ବ୍ୟବହାର ନକରିବା ଓ ଫଟୋ-ଭିଡିଓ ନ ଧରିବା ପାଇଁ ପୂର୍ବରୁ ଜଣାଇଦିଆଯାଇଛି।

ଉଭୟ ତାରକା Geetha Govindam ଓ Dear Comrade ଭଳି ସୁପରହିଟ୍ ଫିଲ୍ମରେ ଏକାଠି କାମ କରିଥିଲେ। ସେଠାରୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବା ନେଇ ଚର୍ଚ୍ଚା ଚାଲିଥିଲା। ଯଦିଓ ସେମାନେ କେବେବି ସମ୍ପର୍କକୁ ସାର୍ବଜନୀନ ଭାବେ ସ୍ୱୀକାର କରିନଥିଲେ, ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖାଯିବା ଫ୍ୟାନ୍ସଙ୍କ ମନରେ ଆଶା ସୃଷ୍ଟି କରିଥିଲା। ଦୀର୍ଘ ବର୍ଷର ଅନୁମାନ ପରେ ଏବେ ଏହି ଚର୍ଚ୍ଚିତ ଯୁଗଳ ନିଜ ସମ୍ପର୍କକୁ ଅଧିକାରିକ ରୂପ ଦେବାକୁ ଯାଉଛନ୍ତି। ‘Virosh’ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଉତ୍ସାହ ଚରମ ସୀମାକୁ ପହଞ୍ଚିଛି।