ଶୋଚନୀୟ ଅବସ୍ଥାରେ ପଡିଛି ଗାଁ ରାସ୍ତା; ପ୍ରଶାସନ ନୀରବ

ମାଲକାନାଗିରି (ସୂର୍ଯ୍ୟକାନ୍ତ ବେହେରା): ମାଲକାନାଗିରି ପଡିଆ ବ୍ଳକ ଅନ୍ତର୍ଗତ ଏମଭି ୪୮ ଗ୍ରାମର ରାସ୍ତା ଶୋଚନୀୟ ହୋଇପଡ଼ିଛି । ବର୍ଷା ଆରମ୍ଭରୁ ଗାଁ ରାସ୍ତାରେ ଏକ ବିରାଟ ଗାତ ହୋଇଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇନପାରି ଜମା ହୋଇ ରହୁଛି । ଏହି ଗ୍ରାମରେ ପ୍ରାୟ ୧୧ ଶହ ଲୋକ ବସବାସ କରୁଛନ୍ତି । ତେବେ ଗ୍ରାମର ବିଭିନ୍ନ ସାହିରେ ମାଟି ରାସ୍ତା ରହିଥିବା ବେଳେ ଅନ୍ୟ କେତେକ ପକ୍କା ରାସ୍ତା ଶୋଚନୀୟ ହୋଇ ପଡିଲାଣି । ଗ୍ରାମର ଜଗନ୍ନାଥ ସାହିରେ ପକ୍କା ରାସ୍ତା ଥିଲେ ମଧ୍ୟ ରାସ୍ତା ଆରମ୍ଭରୁ ପ୍ରାୟ ୩୦ ଫୁଟ ଓସାରର ବିରାଟକାୟ ସ୍ଥାନରେ ଆଣ୍ଠୁଏ ପାଣି ଜମି ରହୁଛି । ଫଳରେ ପଦଚାରୀ ଓ ମୋଟର ଚାଳକ ପାଣି କାଦୁଅରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି ।
ଏଥିସହ ଦୀର୍ଘବର୍ଷ ଧରି ଗ୍ରାମର ୩ ନମ୍ଵର ସାହିର ରାସ୍ତା ଖାଲଖମାରେ ଭର୍ତି ହେବା ସହ ବିଭିନ୍ନ ସାହିର ପକ୍କା ରାସ୍ତା ଗୁଡ଼ିକ ଶୋଚନୀୟ ହୋଇପଡ଼ିବାରୁ ଗ୍ରାମବାସୀମାନେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଗ୍ରାମକୁ ଅନେକ ସମୟରେ ବିଭିନ୍ନ ଦଳର ନେତା ଓ ପ୍ରାଶାସନିକ ଅଧିକାରୀ ଆସୁଥିଲେ ମଧ୍ୟ କେହି ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରି ସ୍ଥିତିରେ ଗ୍ରାମ ରାସ୍ତାର ମରାମତି ଦିଗରେ ତୁରନ୍ତ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।