ବୌଦ୍ଧ ଜିଲ୍ଲା ଏମଭିଆଇ ଗୋଲାପ ଚନ୍ଦ୍ର ହାସଁଦାଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ୟୁରୋ:- ଗତ କିଛି ଦିନ ହେବ ଓଡ଼ିଶା ଭିଜିଲାନ୍ସ ପୂରା ଆକ୍ଟିଭ ମୋଡରେ ରହିଛି । ଜଣଙ୍କ ପରେ ଜଣେ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘରେ ଚଢ଼ାଉ କରି ସମ୍ପତ୍ତି ଜବତ ସହ ତାଙ୍କୁ ବାନ୍ଧୁଛି । ତେବେ ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ ଫସିଥିବା ସୂଚନ ମିଳିଛି  । ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ ଜିଲ୍ଲା ଏମଭିଆଇ ଗୋଲାପ ଚନ୍ଦ୍ର ହାସଁଦା । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଏମଭିଆଇଙ୍କ ଘରେ ପସିଛି ଭିଜିଲାନ୍ସ । ବାରିପଦା, ବୌଦ୍ଧ ଓ ଭୁବନେଶ୍ୱର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି । ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଇଛି ।

ବୌଦ୍ଧ ପରିବହନ କାର୍ଯ୍ୟାଳୟର ଚେମ୍ବର୍, ବୌଦ୍ଧ ସହର ରାମେଶ୍ବର ବିହାର ସ୍ଥିତ ଭଡ଼ା ଘର, ବାରିପଦାର ପ୍ରଫୁଲ୍ଲ ନଗରରେ ଥିବା ତାଙ୍କ ନିଜସ୍ଵ ବାସଭବନ, ମୟୂରଭଞ୍ଜ ଗୁଡ଼ିଡିହାର ପୈତୃକ ବାସଭବନ, ଭୁବନେଶ୍ୱରରେ ତାଙ୍କ ଝିଅଙ୍କ ଭଡ଼ା ଘର ଏବଂ ବାରିପଦା ବାଗଡିହା ଠାରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଗୋଲାପ ଚନ୍ଦ୍ର ହାଁସଦାଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ହୋଇଥିଲା । ଚେକିଂ ନାଁରେ ଗାଡ଼ି ଅଟକାଇ ସେ ଟଙ୍କା ମାଗୁଥିଲେ ଏବଂ ଟଙ୍କା ଆଦାୟ କରି ଗାଡ଼ି ଛାଡ଼ି ଦେଉଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଭିଜିଲାନ୍ସ ସ୍କାନରରେ ଥିଲେ ଗୋଲାପ ଚନ୍ଦ୍ର । ତେବେ ବର୍ତ୍ତମାନ ସୁଦ୍ଧା ଚଢାଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ ।