ଯନ୍ତ୍ରୀ ବାବୁଙ୍କ ଆଖିଖୋସା ସମ୍ପତ୍ତି, ଏବେବି ଚାଲିଛି ଚଢାଉ

ଟିଟିଲାଗଡ଼: ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଟିଟିଲାଗଡ଼ R&B ସବ୍‌ଡିଭିଜନ୍‌ର ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ଘରେ ଆଜି ସକାଳୁ ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଟିଟିଲାଗଡ଼ ଅଫିସ୍‌ ଓ ଘର ସମେତ ୬ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ । ସମ୍ବଲପୁର, ଝାରସୁଗୁଡ଼ା ଓ ବ୍ରଜରାଜନଗରର ପୈତୃକ ଗାଁରେ ମଧ୍ୟ ଚାଲିଛି ରେଡ୍ । ତେବେ ଚଢାଉ ବେଳେ ଟିଟିଲାଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀଙ୍କ ବିପୁଳ ସଂପତ୍ତି ଠାବ କତିଛି ଭିଜିଲାନ୍ସ ।

ଦିଲେଶ୍ଵରଙ୍କ ଟିଟିଲାଗଡ଼ ଘରୁ ୪୩ ହଜାର ଟଙ୍କା, ସମ୍ବଲପୁର ଘରୁ ନଗଦ ୬ ଲକ୍ଷ ମିଳିଥିବା ବେଳେ ୪ କୋଠା, ୯ ପ୍ଲଟ୍ ଓ ଗୋଟିଏ ମାର୍କେଟ କଂପଲେକ୍ସ ମଧ୍ୟ ଠାବ କରିଛି ଭିଜିଲାନ୍ସ । ଏଥିସହ ସମ୍ବଲପୁର ଓ ବ୍ରଜରାଜନଗରରେ ୨ଟି ଓ ଝାରସୁଗୁଡ଼ାରେ ୨ଟି କୋଠା ଅଛି । ସମ୍ବଲପୁର ସହର ଉପକଣ୍ଠରେ ୬ଟି ପ୍ଲଟ୍ ସମେତ ମୋଟ୍ ୯ଟି ପ୍ଲଟ୍ ଠାବ କରାଯାଇଛି । ନଗଦ ୬ ଲକ୍ଷ ୫୭ ହଜାର ଟଙ୍କା ସହ ୩୦୦ ଗ୍ରାମର ସୁନା ଅଳଙ୍କାର ଠାବ କରାଯାଇଛି । ସେହିପରି ୨୦ ଲକ୍ଷର ବ୍ୟାଙ୍କ ଜମା ସହ ଗୋଟିଏ ୪ ଚକିଆ ଗାଡ଼ି ମଧ୍ୟ ରହିଛି ।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ଦିଲେଶ୍ଵର ମାଝୀଙ୍କ ଘରେ ରେଡ୍‌ କରିଥିଲା ଭିଜିଲାନ୍ସ । ଚଢାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ବଲାଙ୍ଗୀର ଭିଜିଲାନ୍ସ, ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ଦିଲେଶ୍ବରଙ୍କ ସମ୍ପତ୍ତି ସ୍ଥାନରେ ତଲାସୀ କରାଯାଉଛି।