ଗଛରେ ଚଢ଼ି ଭିଡିଓ କରିଥିଲେ ଫଟୋଗ୍ରାଫର…

ଜାମ୍ମୁକାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାରିମଧ୍ୟରେ ଜଣେ ଫଟୋଗ୍ରାଫର ଭିଡିଓରୁ ତଦନ୍ତକାରୀ ସଂସ୍ଥାକୁ ପ୍ରମାଣ ମିଳିଛି । ବୈସାରଣରେ ପର୍ୟ୍ୟଟକଙ୍କ ପାଇଁ ରିଲ୍ ସୁଟିଂ କରିଥିବା ଜଣେ ସ୍ଥାନୀୟ ଭିଡିଓଗ୍ରାଫର ଜାତୀୟ ତଦନ୍ତ ସଂସ୍ଥା (NIA) ପାଇଁ ଜଣେ ପ୍ରମୁଖ ସାକ୍ଷୀ ଭାବରେ ଉଭା ହୋଇଛନ୍ତି। ଫଟୋଗ୍ରାଫର ସମ୍ପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣକୁ କଏଦ କରିଥିଲେ। ଫାଇରିଂ ଆରମ୍ଭ ହେବା ମାତ୍ରେ ଏହି ସ୍ଥାନୀୟ ଫଟୋଗ୍ରାଫର ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ ଏବଂ ଗୁଳିରୁ ରକ୍ଷା ପାଇବା ପାଇଁ ଏକ ଗଛରେ ଚଢ଼ି ଯାଇଥିଲେ। ଘଟଣାଟି ଘଟୁଥିବା ସମୟରେ ଭିଡିଓ ରେକର୍ଡିଂ କରି ଚାଲିଥିଲେ। ଘଓଇ ଭିଡିଓଗ୍ରାଫରଙ୍କୁ ପଚରାଉଚରା କରିଛି ଏବଂ ସେ ସୁଟ୍ କରିଥିବା ଭିଡିଓଗୁଡ଼ିକର ବିଶ୍ଳେଷଣ କରୁଛି।


ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଚାରି ଜଣ ଆତଙ୍କବାଦୀ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ଘାସ ପଡ଼ିଆର ଦୁଇ ପାର୍ଶ୍ୱରୁ ଗୁଳି ଚଳାଇଥିଲେ।ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଦୁଇଜଣ ବନ୍ଧୁକଧାରୀ ଜଳଖିଆ ବିକ୍ରି କରୁଥିବା ଖାଦ୍ୟ ଦୋକାନ ନିକଟରେ ମୁତୟନ ଥିଲେ। ଆତଙ୍କବାଦୀମାନେ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଥିବା ଜଣାପଡ଼ିଛି, ଗୋଟିଏ ପର୍ୟ୍ୟଟକଙ୍କର ଏବଂ ଅନ୍ୟଟି ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର। ଏଜେନ୍ସିଗୁଡ଼ିକ ଉଭୟ ଫୋନ୍ ଟ୍ରାକ୍ କରୁଛନ୍ତି । ସୂତ୍ରରୁ ଜଣାପଡିଛି ଯେ ଘଟଣା ପରଠାରୁ ଡିଭାଇସଗୁଡ଼ିକ ବନ୍ଦ ହୋଇଯାଇଛି ।


ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ୪ ଜଣ ଆତଙ୍କବାଦୀ ସାମିଲ ଥିଲେ । ସେମାନଙ୍କ ପାଖରେ AK-47 ଏବଂ M4 ଭଳି ଅତ୍ୟାଧୁନିକ ରାଇଫଲ ଥିଲା, ଯାହାର କାର୍ଟ୍ରିଜ୍ ଘଟଣାସ୍ଥଳରୁ ଜବତ କରାଯାଇଛି। ପ୍ରମାଣ ଭାବରେ ଏହି କାର୍ଟ୍ରିଜ୍ ଗୁଡ଼ିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଦାବି କରାଯାଉଛି ଯେ ଏହି ଆତଙ୍କବାଦୀମାନେ ଘନ ଜଙ୍ଗଲ ଦେଇ ୨୨ ଘଣ୍ଟା ଧରି ନିରନ୍ତର ଚାଲିବା ପରେ ବୈସାରଣ ସମତଳ ଭୂମିରେ ପହଞ୍ଚିଥିଲେ। ଚାରି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ନାଗରିକ ଥିବା ବେଳେ ଜଣେ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଥୋକର ଥିଲେ। ଅଭିଯୋଗ ହୋଇଛି ଯେ ଥୋକର ସେବେଠାରୁ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଲଜିଷ୍ଟିକ୍ସରେ ସାହାଯ୍ୟ କରିଛନ୍ତି ଏବଂ ଅନ୍ୟ ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ମାର୍ଗଦର୍ଶକ ଭାବରେ କାର୍ୟ୍ୟ କରିଛନ୍ତି।