ବିଜୟ ଦିବସ: ମନେପଡେ ୧୯୭୧ ପାକିସ୍ତାନ ବିରୋଧରେ ଭାରତର ବଡ ବିଜୟ

୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଥିଲେ

(ବ୍ୟୁରୋ) : ନିଜ ମାଟିକୁ ବଞ୍ଚାଇବା ପଇଁ ଭାରତ ଲଢିଛି ଅନେକ ଯୁଦ୍ଧ । କିନ୍ତୁ ପାକିସ୍ତାନ ବିରୁଦ୍ଧରେ ଭାରତର ସେହି ବଡ ବିଜୟକୁ କେହି କେବେ ଭୁଲି ପାରିବେ ନାହିଁ । କାରଣ ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧ ଭାରତ ପାଇଁ ଐତିହାସିକ ପ୍ରମାଣିତ ହୋଇଥିଲା । ୧୯୭୧ର ଏହି ଯୁଦ୍ଧରେ ବିଜୟ ସହ ଭାରତ ସହିଥିଲା ଅନେକ କ୍ଷତି ଆଉ ହରାଇଥିଲା ପ୍ରାୟ ୩ ହଜାର ୯୦୦ ଭାରତୀୟ ସୈନିକ । ସେହି ସହିଦ ଭାରତୀୟ ସୈନିକ ଭାରତର ମର୍ଯ୍ୟଦା ଉଚ୍ଚ କରିଯାଥିଲେ । ପ୍ରକୃତରେ ଦେଖିବାକୁ ଗଲେ ୧୯୪୭ ମସିହାରେ ଭାରତ ସ୍ବାଧୀନତା ଲାଭ କରିଥିଲା। ହେଲେ, ଏଥି ସହିତ ଏହି ଭୂଖଣ୍ଡ, ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶରେ ବିଭକ୍ତ ହୋଇ ସ୍ବାଧୀନତା ପାଇଥିଲା। ସ୍ବାଧୀନତା ପରଠାରୁ ଦୁଇଦେଶ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିଛି। କେତେବେଳେ ସୀମାକୁ ନେଇ ତ’ ଆଉ କେତେବେଳେ ଅନୁପ୍ରବେଶ ଅଥବା ଆତଙ୍କବାଦକୁ ନେଇ। ସ୍ବାଧୀନତାର ୭୬ବର୍ଷ ଭିତରେ କେବଳ ଚୀନ୍‌କୁ ଛାଡ଼ିଲେ ଭାରତ ଅନ୍ୟ ସବୁଗୁଡ଼ିକ ଯୁଦ୍ଧ ପାକିସ୍ତାନ ସହ ଲଢ଼ିଛି। ତା’ ଭିତରୁ ଅନେକ ଛୋଟ ଯୁଦ୍ଧ ଥିବା ବେଳେ ୫ଟି ବଡ଼ ଯୁଦ୍ଧରେ ଭାରତ ଓ ପାକିସ୍ତାନ ପରସ୍ପରର ଶକ୍ତିିକୁ ସାମ୍ନା କରିଛନ୍ତି। ସେ ସମସ୍ତ ଯୁଦ୍ଧରେ ଭାରତ ବିଜୟଲାଭ କରିଥିଲେ ହେଁ ୧୯୭୧ ମସିହାର ଭାରତ-ପାକ୍‌ ଯୁଦ୍ଧ ଦେଶକୁ ବିଜୟର ସର୍ବଶ୍ରେଷ୍ଠ ସ୍ବାଦ ଦେଇଥିଲା। ମାତ୍ର ୧୩ଦିନର ଏହି ଯୁଦ୍ଧ ପରେ ବିଶ୍ବ ମାନଚିତ୍ରରେ ‘ବାଂଲାଦେଶ’ ନାମରେ ଏକ ନୂଆ ଦେଶ ଜନ୍ମ ନେଇଥିଲା। ୧୯୭୧ ମସିୖହା ଡିସେମ୍ବର ୧୬ ତାରିଖରେ ପାକିସ୍ତାନ ସେନାକୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିଥିଲେ ବୀର ଭାରତୀୟ ସୈନିକ । ଆଉ ଏହି ଦିନଟିକୁ ମନେ ରଖିବା ପଇଁ ୧୯୭୧ ମସହିହାଠାରୁ ଭାରତରେ ପ୍ରତ୍ୟକ ବର୍ଷ ଡିସେମ୍ବର ୧୬ ତାରିଖକୁ ବିଜୟ ଦିବସ ରୂପେ ପାଳନ କରାଯାଏ ।

୧୯୭୧ ମସିହା ଆରମ୍ଭରୁ ହିଁ ଦେଖାଦେଇଥିଲା ଯୁଦ୍ଧ ପରିସ୍ଥିତି । ୨୫ ମାର୍ଚ୍ଚ ୧୯୭୧ରେ, ପାକିସ୍ତାନର ସାମରିକ ଏକଛତ୍ରବାଦୀ ଶାସକ ୟାହିୟା ଖାନ ପୂର୍ବ ପାକିସ୍ତାନରେ ଜନସାଧାରଣଙ୍କ ଭାବନାକୁ ଦମନ କରିବା ପାଇଁ ସାମରିକ ବାହିନୀକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଶେଖ ମୁଜିବଙ୍କୁ ଗିରଫ କରାଯାଇଥିଲା । ତା’ପରେ ସେଠାରୁ ଅନେକ ଶରଣାର୍ଥୀ କ୍ରମାଗତ ଭାବରେ ଭାରତ ଆସିବା ଆରମ୍ଭ କଲେ । ପରେ ପାକିସ୍ତାନୀ ସେନାର ଏଭଳି କ୍ରୁର ଆଚରଣ ଖବର ଭାରତରେ ପହଞ୍ଚିଲାଥିଲା । ବାରତୀୟ ସେନା ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ବିଭିନ୍ନ ମହଲରୁ ଚାପ କରାଗଲା । ଏମିତିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ ଯେ, ଏପ୍ରିଲରେ ହିଁ ଆକ୍ରମଣ କରାଯାଉ । ତେଣୁ ଏନେଇ ଇନ୍ଦିରା ଗାନ୍ଧୀ ସ୍ଥଳସେନା ମୁଖ୍ୟ ଜେନେରାଲ ମାନେକଶାଂଙ୍କ ସହ ଆଲୋଚନା କରିଥିଲେ । ସେତେବେଳେ ଭାରତ ପାଖରେ କେବଳ ଗୋଟିଏ ପାର୍ବତୀୟ ଡିଭିଜନ ରହିଥିଲା । ସେଠାରେ ସେତୁ ନିର୍ମାଣ ପାଇଁ ଭାରତର ସାମର୍ଥ୍ୟ ନଥିଲା । ଖାଲି ସେତିକି ନୁହେଁ ସେତେବଳେ ମୌସୁମୀ ମଧ୍ୟ ମାଡ଼ି ଆସୁଥିଲା । ଏପରି ସମୟରେ ପୂର୍ବ ପାକିସ୍ତାନରେ ପ୍ରବେଶ କରିବା ବିପଜ୍ଜନକ ରହିଥିଲା । ତେଣୁ ମାନେକଶାଂ କୌଣସି ରାଜନୈତିକ ଚାପର ବଶବର୍ତ୍ତି ନହୋଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଯୁଦ୍ଧ ମଇଦାନକୁ ଓହ୍ଲାଇବେ ।

୩ ଡିସେମ୍ବର ୧୯୭୧ରେ ଇନ୍ଦିରା ଗାନ୍ଧୀ ସେତେବେଳର କଲିକତାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିଲେ । ସେହି ଦିନ ସନ୍ଧ୍ୟାରେ ପାକିସ୍ତାନୀ ବାୟୁସେନା କିଛି ବିମାନ ଭାରତୀୟ ବାୟୁ ସୀମା ପାର କରି ପଠାନକୋଟ, ଶ୍ରୀନଗର, ଅମୃତସର, ଯୋଧପୁର, ଆଗ୍ରା ଆଦି ଅଞ୍ଚଳରେ ଥିବା ସାମରିକ ବିମାନଘାଟିରେ ବୋମା ବର୍ଷା କରିଥିଲେ । ଏହାପରେ ଇନ୍ଦିରା ଗାନ୍ଧୀ ତୁରନ୍ତ ଦିଲ୍ଲୀ ଫେରି କ୍ୟାବିନେଟର ଜରୁରୀକାଳୀନ ବୈଠକ କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପରେ ପୂର୍ବରେ ଦ୍ରୁତ ଗତିରେ ଭାରତୀୟ ସେନା ଆଗକୁ ବଢ଼ୁଥିବା ବେଳେ ପ୍ରଥମେ ଜେସୋର ଏବଂ ଖୁଲନାକୁ ନିଜ କବ୍‌ଜାରେ ନେଇଥିଲେ । ଭାରତୀୟ ସେନାର ରଣନୀତି ଥିଲା ଯେ, ମୁଖ୍ୟ ଅଡ୍ଡାକୁ ଛାଡି ପ୍ରଥମେ ଆଗକୁ ବଢ଼ିବା । ଯୁଦ୍ଧ ସମୟରେ ଖୁଲନା ଏବଂ ଚଟଗାଓଁକୁ କବ୍‌ଜା କରିବା ପାଇଁ ଜୋର ଦେଉଥିଲେ ମାନେକଶାଂ । ଢ଼ାକା କବ୍‌ଜା କରିବା ପାଇଁ ଭାରତୀୟ ସେନାର କୌଣସି ଲକ୍ଷ୍ୟ ହିଁ ନଥିଲା ।

ଡିସେମ୍ବର ୧୪ ରେ, ଭାରତୀୟ ସେନା ଏକ ଗୁଇନ୍ଦା ଖବର ପାଇଥିଲା ଯେ, ଦିନ ୧୧ଟାରେ ଢ଼ାକାର ସରକାରୀ ଭବନରେ ଏକ ହାଇଲେବୁଲ ବୈଠକ ହେବାକୁ ଯାଉଛି । ଯେଉଁଥିରେ ପାକିସ୍ତାନୀ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ। ଏହି ଖବର ପାଇବା ପରେ ଭାରତୀୟ ସେନା ନିଷ୍ପତ୍ତି ନେଲା ଯେ, ବୈଠକ ସମୟରେ ହିଁ ସେଠାରେ ଆକ୍ରମଣ କରାଯିବ । ଆଉ ତାହା ହିଁ ହେଲା । ବୈଠକ ଚାଲିଥିବା ବେଳେ ଭାରତୀୟ ବାୟୁସେନାର ମିଗ୍‌ ୨୧ ବୋମା ବର୍ଷା କରି ଛାତ ଉଡ଼ାଇ ଦେଇଥିଲା । ଏହି ଘଟଣା ପରେ ଗଭର୍ଣ୍ଣର ମଲିକ ଭୟରେ ଥରି ଥରି ନିଜ ପଦରୁ ଇସ୍ତଫା ଦେଇଥିଲେ । ୧୬ ଡିସେମ୍ବର ସକାଳେ ଜେନେରାଲ ଜୈକବଙ୍କୁ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ହେବାକୁ ଢ଼ାକାରେ ପହଞ୍ଚିବା ପାଇଁ ମାନେକଶାଂଙ୍କ ସନ୍ଦେସ ପହଞ୍ଚିଲା । ସେତେବେଳେ ଜୈକବଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବା ଆରମ୍ଭ ହୋଇଥିଲା ।
ଭାରତୀୟ ସେନା ଏହି ଯୁଦ୍ଧକୁ ସମ୍ପୂର୍ଣ୍ଣ ରୂପେ ନିଜ କବ୍‌ଜାରେ ନେଇସାରିଥିଲା । ଅରୋଡ଼ା ନିଜ ଦଳ ବଳ ସହ ଦୁଇ ଘଣ୍ଟା ମଧ୍ୟରେ ଢ଼ାକାରେ ଅବତରଣ କରିବାକୁ ପ୍ରସ୍ତୁତ ହେଉଥିଲେ । ଏମିତିକି ଯୁଦ୍ଧ ମଧ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଥିଲା । ଜୈକବଙ୍କ ହାତରେ କୌଣସି ମୌକା ନଥିଲା । ଜୈକବ ଯେତେବେଳେ ନିୟାଜୀଙ୍କ କୋଠରୀରେ ପ୍ରବେଶ କଲେ, ସେଠାରେ ନିରବତା ଛାଇଯାଇଥିଲା । ଆତ୍ମସମର୍ପଣର ଡକ୍ୟୁମେଣ୍ଟ ଟେବୁଲ ଉପରେ ରଖାଯାଇଥିଲା । ଅନ୍ଧାର ହୋଇଆସୁଥିଲା । ସ୍ଥାନୀୟ ଲୋକେ ନିୟାଜୀଙ୍କୁ ପିଟି ପିଟି ହତ୍ୟା କରିବାକୁ ଆଗେଇ ଆସିଥିଲେ ।
ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ନିୟାଜୀଙ୍କୁ ଚାରି ପଟୁ ସୁରକ୍ଷା ଦେଲେ । ଏହାସହ ସୁରକ୍ଷିତ ଭାବେ ସେଠାରୁ କର୍ଡନ କରି ତାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ସଂସଦ ଭବନରେ ଇନ୍ଦିରା ଗାନ୍ଧୀ ନିଜ କାର୍ୟ୍ୟାଳୟରେ ବସି ଏକ ଟିଭି ସାକ୍ଷାତକାର ଦେଉଥିଲେ । ଏହି ସମୟରେ ଜେନେରାଲ ମାନେକଶାଂ ତାଙ୍କୁ ବାଂଲାଦେଶରେ ଭାରତର ବଡ ବିଜୟର ଖବର ଦେଇଥିଲେ । ହୋ-ହଲ୍ଲା ମଧ୍ୟରେ ଇନ୍ଦିରାଗାନ୍ଦି ଲୋକସଭାରେ ଘୋଷଣା କଲେ ଯେ, ଯୁଦ୍ଧରେ ଭାରତୀୟ ସେନାକୁ ବଡ଼ ବିଜୟ ମିଳିଛି । ଯାହା ପରେ ସଂସଦରେ ଖୁସିର ମାହୋଲ ଖେଳିଯାଇଥିଲା । ଆଉ ସେହି ଦିବସକୁ ମନେ ରଖିବା ପାଇଁ ଆଜିର ଦିବସକୁ ବିଜୟ ଦିବସ ଭାବେ ପାଳନ କରାଯାଇଆସୁଛି।