ନୂଆଦିଲ୍ଲୀ:- ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂଜାରା ବହୁତ ଦିନ ଧରି ଟେଷ୍ଟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ । ଏହି ଅଭିଜ୍ଞ ଖେଳାଳି ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ଯେଉଁଥିରେ ସେ ଏକ ଭାବପ୍ରବଣ ନୋଟ୍ ଲେଖି କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି ।
ପୂଜାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଭାରତୀୟ ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ଗାଇବା ଏବଂ ପଡ଼ିଆରେ ପାଦ ଦେବା ସମୟରେ ନିଜର ସର୍ବୋତ୍ତମ ଚେଷ୍ଟା କରିବା…ଏସବୁର ଅର୍ଥ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ । କିନ୍ତୁ ଯେମିତି କୁହାଯାଏ ଯେ ସବୁ ଭଲ ଆରମ୍ଭର ଶେଷ ଥାଏ, ତେଣୁ ମୁଁ ଅତ୍ୟନ୍ତ କୃତଜ୍ଞତାର ସହିତ ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି ।
ଚେତେଶ୍ୱର ପୂଜାରା ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଦଳ ପାଇଁ ଡେବ୍ୟୁ କରିଥିଲେ । ଭଲ ପ୍ରଦର୍ଶନ ଆଧାରରେ, ସେ ଭାରତୀୟ ଟେଷ୍ଟ ଦଳର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲେ । ରାହୁଲ ଦ୍ରାବିଡଙ୍କ ପରେ, ତାଙ୍କୁ ଟେଷ୍ଟର ପ୍ରାଚୀର ବୋଲି କୁହାଯିବା ଆରମ୍ଭ ହେଲା । ପୂଜାରା ୨୦୨୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ । ସେବେଠାରୁ ସେ ଦଳରୁ ବାହାରେ ରହିଛନ୍ତି । ଦୁଇ ବର୍ଷ ହେଲା କୌଣସି ମ୍ୟାଚରେ ନଜର ଆସିନାହାନ୍ତି ପୂଜାରୀ । ଏପର୍ଯ୍ୟନ୍ତ ସେ ଭାରତୀୟ ଦଳ ପାଇଁ ୧୦୩ ଟି ଟେଷ୍ଟ ମ୍ୟାଚ୍ ଖେଳି ମୋଟ ୭୧୯୫ ରନ୍ କରିଛନ୍ତି, ଯେଉଁଥିରେ ୧୯ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ସେ ଭାରତ ପାଇଁ ୫ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି, ଯେଉଁଥିରେ ସେ ମୋଟ ୫୧ ରନ୍ କରିଛନ୍ତି ।