ରାଉରକେଲା: ସାହିତ୍ୟ ପ୍ରତି ପ୍ରତିବଦ୍ଧତା ରଖି ରାଉରକେଲା ଆଇନ ମହାବିଦ୍ୟାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ଦ୍ବିଦିବସୀୟ କାର୍ୟ୍ୟକ୍ରମ କଲେଜ ପରିସରରେ ଆରମ୍ଭ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ଅତିଥି ଭାବେ ବିଶିଷ୍ଟ ସମାଲୋଚକ ଡଃ ପ୍ରଦୀପ୍ତ କୁମାର ପଣ୍ଡା ଓ ସାହିତ୍ୟ ଏକାଡେମୀର ଆବାହକ ବିଶିଷ୍ଟ ସାହିତ୍ୟିକ ଡଃ ବିଜୟାନନ୍ଦ ସିଂହ ଯୋଗଦେଇ ଗଣକବି ବୈଷ୍ଣବ ପାଣିଙ୍କ ଚୟନିକା ଉପରେ ଆଲୋଚନା କରିଥିଲେ।
ପ୍ରଥମ ଦିନରେ ପୁସ୍ତକ ଚର୍ଚ୍ଚା ଆଲୋଚନାଚକ୍ର ରେ ଭାଗନେଇ ବିଶିଷ୍ଟ ସାହିତ୍ୟିକ ଡଃ ପଣ୍ଡା ସମୀକ୍ଷା କରି କହିଲେ ଯେ ଗଣକବି ବୈଷ୍ଣବ ପାଣି ଓଡିଆ ସାହିତ୍ୟର ଲୋକପ୍ରିୟ କବି।ତାଙ୍କ ରଚନାରେ ଲୋକ ଜୀବନର ଚିତ୍ର ଥିବାରୁ ତାହା ପାଠକୀୟ ଆଦୃତି ଲାଭ କରିଛି। ବାସ୍ତବରେ ବୈଷ୍ଣବ ପାଣି ଗଣ ଜୀବନର ସଫଳ ପ୍ରତିନିଧି। ଏହି ପୁସ୍ତକ ରଚନା ହେବା ଫଳରେ ପାଣି କବିଙ୍କର ଦୁଷ୍ପାପ୍ୟ ରଚନା ସୁରକ୍ଷିତ ହୋଇପାରିଛି। ଅନ୍ୟତମ ଅତିଥି ଡଃ ସିଂହ କହିଲେ ଯେ ଗଣକବି ବୈଷ୍ଣବ ପାଣି ଜାତୀୟ ଜୀବନର ସାର୍ଥକ ରୂପକାର । ସେ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଗାନ୍ଧୀ ଚେତନା ବିଚାରର ଅନନ୍ୟ ଭୂମିକା ଗ୍ରହଣ କରିଥିଲେ।
ସାହିତ୍ୟ ଏକାଡେମୀ ତରଫରୁ ଏହି କାର୍ୟ୍ୟକ୍ରମ ରେ ବେଟିଖାଇ ବେରିହାଙ୍କ ଦଳ ବିଶିଷ୍ଟ କଳାଶିଳ୍ସୀ ରବି ରତନ ସାହୁଙ୍କ ନିର୍ଦ୍ଦେଶନାରେ ଡାଲଖାଇ ନୃତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କଲିକତା ସାହିତ୍ୟ ଏକାଡେମୀ ର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଅଭିଭାଷଣ ରଖିଥିଲେ। ପ୍ରାରମ୍ଭିକ ସୂଚନା ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡା ରଖଥିବା ବେଳେ ଅଧ୍ୟାପିକା ଡଃ ସମ୍ପାଦିକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମ ରେ ସହରର ବହୁ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ, କବି, ଭାଷା ପ୍ରେମୀ ଉପସ୍ଥିତ ଥିଲେ।